ନୂଆଦିଲ୍ଲୀ: “ମହାବତାର ନରସିଂହ” ପରେ ହୋମ୍ବାଲେ ଫିଲ୍ମସ୍ ଏବଂ କଲିମ୍ ପ୍ରଡକ୍ସନ୍ ଏବେ ସାତ ଭାଗ ବିଶିଷ୍ଟ ମହାବତାର ସିନେମାଟିକ୍ ୟୁନିଭର୍ସର ଦ୍ୱିତୀୟ ଭାଗ “ମହାବତାର ପର୍ଶୁରାମ” ଆଣିଛନ୍ତି। ନିର୍ମାତାମାନେ ଏକ ରୋମାଞ୍ଚକର ପୋଷ୍ଟର ସହିତ ଫିଲ୍ମର ପ୍ରଥମ ଝଲକ ସେୟାର କରିଛନ୍ତି। ଯାହା ଖୁବ୍ ଦମଦାର ହୋଇଛି। ଭାରତର ସର୍ବବୃହତ ସିନେମାଟିକ୍ ୟୁନିଭର୍ସର ଏହି ଦ୍ୱିତୀୟ ଭାଗ ଅଶ୍ୱିନ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ।
“ମହାବତାର ନରସିଂହ” ଦେଖିବା ପରଠାରୁ ପ୍ରଶଂସକମାନେ ସିକ୍ୱେଲକୁ ନେଇ ଉତ୍ସାହିତ ଥିଲେ। ବର୍ତ୍ତମାନ ନିର୍ମାତାମାନେ ଏକ ଚମତ୍କାର ପୋଷ୍ଟର ସହିତ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି। ଫିଲ୍ମର ଟ୍ୟାଗଲାଇନ୍ – “ଯେଉଁଠାରେ ଧର୍ଯ୍ୟ ଶେଷ ହୁଏ, ସେଠାରେ ପର୍ଶୁରାମଙ୍କ ଫାର୍ସା ଆରମ୍ଭ ହୁଏ!” – ଫିଲ୍ମ କେତେ ଦମଦାର ତାହା ଏହି ଲାଇନ୍ ରୁ ଜଣାପଡ଼ିଛି। ଏହା ମାଧ୍ୟମରେ ନିର୍ମାତା ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ କାହାଣୀକୁ ଏକ ମହାନ ଏବଂ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାକୁ ପ୍ରସ୍ତୁତ। ଏହି ଫିଲ୍ମରେ ଦର୍ଶାଯିବ ଯେ ଧର୍ମ ପଥ ପରିତ୍ୟାଗ କରିଥିବା ଦୁର୍ନୀତିଗ୍ରସ୍ତ ଏବଂ ଅହଂକାରୀ ରାଜାମାନଙ୍କ ଅତ୍ୟାଚାରକୁ ସମାପ୍ତ କରିବା ପାଇଁ ଭଗବାନ ବିଷ୍ଣୁ କିପରି ଅବତାର ନେଇଥିଲେ।
ତେବେ ଚଳଚ୍ଚିତ୍ରର ସାଂସ୍କୃତିକ ଏବଂ ଭାବପ୍ରବଣ ଭିତ୍ତିଭୂମି ବିଷୟରେ କହି ପ୍ରଯୋଜକ ବିଜୟ କିରାଗାଣ୍ଡୁର କହିଛନ୍ତି, “ଆମର କାହାଣୀଗୁଡ଼ିକ ଆମର ଶକ୍ତି। ମହାଅବତାର ପର୍ଶୁରାମଙ୍କ ସହିତ, ଆମର ଲକ୍ଷ୍ୟ ହେଉଛି ଦର୍ଶକଙ୍କୁ ସେମାନଙ୍କ ମୂଳ ଶକ୍ତି ସହିତ ପୁନଃ ସଂଯୋଗ କରିବା, ଏବଂ ଏହାକୁ ଏପରି ଏକ ଫର୍ମାଟରେ ଉପସ୍ଥାପନ କରିବା ଯାହା ଆଜିର ପିଢ଼ି ସହିତ ପ୍ରତିଧ୍ୱନିତ ହେବ। ଏହି ଫିଲ୍ମ ଐତିହ୍ୟ, ଶକ୍ତିର କାହାଣୀ।”