ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଏବେ ବେଆଇନ ରେଭ୍ ପାର୍ଟିର ଆସର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରଶାସନର ବିନା ଅନୁମତିରେ ରାତି ଅଧିଆ ନାଚଗୀତ ସାଙ୍ଗକୁ ବେଧଡ଼କ ଭାବେ ଚାଲିଛି ନିଶାର କାରବାର। ଏହି କ୍ରମରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ନାମୀ ରିସର୍ଟ ଏବେ ପୋଲିସ ଏବଂ ଅବକାରୀ ବିଭାଗର ସ୍କାନରକୁ ଆସିଛି।
ସହରର କୋଳାହଳରୁ ଦୂରରେ ଥିବା ବିଭିନ୍ନ ଫାର୍ମ ହାଉସ୍ ଏବଂ ରିସର୍ଟଗୁଡ଼ିକ ଏବେ ଏହି ବେଆଇନ ପାର୍ଟିର ମୁଖ୍ୟ ଆଡ୍ଡାସ୍ଥଳୀ ପାଲଟିଛି। ବିଶେଷ କରି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆର ଗୁପ୍ତ ଗ୍ରୁପ୍ ମାଧ୍ୟମରେ ଏହି ପାର୍ଟିଗୁଡ଼ିକର ଆୟୋଜନ କରାଯାଉଛି। ଏଣ୍ଟ୍ରି ଫି’ ବାବଦକୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯିବା ସହ ଦାମୀ ମଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରଷା ଯାଉଥିବା ସୂଚନା ମିଳିଛି। ଏହି ପାର୍ଟିଗୁଡ଼ିକରେ ଅବକାରୀ ନିୟମ ଏବଂ ଶବ୍ଦ ପ୍ରଦୂଷଣ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି।
ଏକ ନିର୍ଦ୍ଦିଷ୍ଟ ରିସର୍ଟରେ ବାରମ୍ବାର ଏଭଳି ଆସର ଜମୁଥିବା ନେଇ ସ୍ଥାନୀୟ ଲୋକେ ଏବଂ ଗୁଇନ୍ଦା ବିଭାଗ ପକ୍ଷରୁ କମିଶନରେଟ୍ ପୋଲିସକୁ ସୂଚନା ମିଳିଥିଲା। ରିସର୍ଟ ମାଲିକ ଓ ଇଭେଣ୍ଟ ଅର୍ଗାନାଇଜର ମାନେ ମିଳିତ ଭାବେ ପୋଲିସ ଆଖିରେ ଧୂଳି ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବେଆଇନ କାର୍ଯ୍ୟକଳାପ ଜାରି ରଖିଛନ୍ତି। ବର୍ତ୍ତମାନ ପୋଲିସ ଏହିସବୁ ରିସର୍ଟର ଗତିବିଧି ଉପରେ କଡ଼ା ନଜର ରଖିବା ସହ ସେଠାରେ ହୋଇଥିବା ପାର୍ଟିଗୁଡ଼ିକର ତଥ୍ୟ ଓ ପ୍ରମାଣ ସଂଗ୍ରହ କରୁଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ରାଜଧାନୀ ଆଖପାଖରେ ଥିବା ସମସ୍ତ ସନ୍ଦିଗ୍ଧ ଫାର୍ମ ହାଉସ୍ ଏବଂ ରିସର୍ଟଗୁଡ଼ିକ ଉପରେ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଯେଉଁ ଆୟୋଜକ କିମ୍ବା ରିସର୍ଟ ମାଲିକ ବିନା ଲାଇସେନ୍ସରେ ଏବଂ ସୁରକ୍ଷା ନିୟମ ଉଲ୍ଲଂଘନ କରି ଏଭଳି ପାର୍ଟି ଆୟୋଜନ କରୁଛନ୍ତି, ସେମାନଙ୍କ ବିରୋଧରେ ଖୁବ୍ ଶୀଘ୍ର ରେଡ୍ କରାଯାଇ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।