Latest Odisha News

BREAKING NEWS

୧୪୨ ସିଟ୍‌ରେ ଜୋରଦାର ଲଢ଼େଇ, ଏହି ୭ ଜିଲ୍ଲାରେ ଭୋଟର ତାଲିକା ପରିବର୍ତ୍ତନ ବଦଳାଇବ କି ରାଜନୈତିକ ସମୀକରଣ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ହେବ। ଏହି ପର୍ଯ୍ୟାୟରେ ନଦିଆ, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, କୋଲକାତା, ହାୱଡା, ହୁଗୁଳି ଏବଂ ପୂର୍ବ ବର୍ଦ୍ଧମାନ ସମେତ ୭ଟି ଜିଲ୍ଲାର ୧୪୨ଟି ଆସନରେ ଭୋଟ୍ ଗ୍ରହଣ ହେବ। ତେବେ ଏଥର ସ୍ୱତନ୍ତ୍ର ଇଣ୍ଟେନ୍ସିଭ୍ ରିଭିଜନ୍ ବା ‘ଏସଆଇଆର’ ପ୍ରକ୍ରିୟା ନିର୍ବାଚନ ଫଳାଫଳ ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଏହି ସଂଶୋଧନ ପ୍ରକ୍ରିୟାରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକାରୁ ପ୍ରାୟ ୯୧ ଲକ୍ଷ ନାମ ବାଦ୍ ପଡ଼ିଛି।

ଦ୍ୱିତୀୟ ପର୍ଯ୍ୟାୟ ଉପରେ କିପରି ପଡ଼ିବ ‘SIR’ ର ପ୍ରଭାବ?
ଉତ୍ତର ୨୪ ପ୍ରଗଣାରେ ସର୍ବାଧିକ ୧୨.୬୦ ଲକ୍ଷ ଭୋଟରଙ୍କ ନାମ କାଟ୍ ଖାଇଛି। ସେହିପରି ଦକ୍ଷିଣ ୨୪ ପ୍ରଗଣାରୁ ପ୍ରାୟ ୧୦.୯୧ ଲକ୍ଷ, ହାୱଡାରୁ ୫.୯୬ ଲକ୍ଷ, ନଦିଆରୁ ୪.୮୮ ଲକ୍ଷ ଏବଂ ହୁଗୁଳିରୁ ୪.୬୯ ଲକ୍ଷ ନାମ ବାଦ୍ ପଡ଼ିଛି। କୋଲକାତାରେ ଏହି ସଂଖ୍ୟା ତୁଳନାତ୍ମକ ଭାବେ କମ୍ (ଦକ୍ଷିଣରୁ ୨.୪୯ ଲକ୍ଷ ଓ ଉତ୍ତରରୁ ୪.୪୭ ଲକ୍ଷ)।

ମତୁଆ ଭୋଟ୍ ବ୍ୟାଙ୍କ ଉପରେ ନଜର:
ଉତ୍ତର ୨୪ ପ୍ରଗଣାରେ ମତୁଆ ବା ଶରଣାର୍ଥୀ ଅଞ୍ଚଳରେ ଅଧିକ ନାମ ବାଦ୍ ପଡ଼ିଛି, ଯାହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିପାରେ। ଗତ ୨୦୨୧ ନିର୍ବାଚନରେ ବିଜେପି ଏଠାକାର ୫ଟି ପ୍ରମୁଖ ଆସନରୁ ୪ଟିରେ ବିଜୟୀ ହୋଇଥିଲା। ସେହିପରି ନଦିଆ ଜିଲ୍ଲାରେ ମଧ୍ୟ ମତୁଆ ଅଧ୍ୟୁଷିତ ଆସନ ଯେପରିକି କଲ୍ୟାଣୀ, ରାନାଘାଟ, ଚକଦହ ଆଦିରେ ବିଜେପିକୁ କଡ଼ା ଟକ୍କର ମିଳିପାରେ ବୋଲି ଅନୁମାନ କରାଯାଉଛି। କାରଣ ଏଠାରେ ଭୋଟର ତାଲିକାରୁ ୭୭.୮ ପ୍ରତିଶତ ନାମ କଟିଛି।

କୋଲକାତା ଏବଂ ହାୱଡାର ସ୍ଥିତି:
କୋଲକାତା ସହରରେ ବିଜେପି ଭଲ ପ୍ରଦର୍ଶନ ଆଶା ରଖିଛି। ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ସହରାଞ୍ଚଳରେ ନିକଟରେ ଘଟିଥିବା ଆର.ଜି. କର ଡାକ୍ତରଖାନା ଘଟଣା ଏବଂ ଏସଏସସି ଦୁର୍ନୀତି ବିରୋଧରେ ହୋଇଥିବା ବିକ୍ଷୋଭ, ଶାସକ ଟିଏମସି ପାଇଁ ଅଡ଼ୁଆ ସୃଷ୍ଟି କରିପାରେ କି ନାହିଁ ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ହାୱଡାର ସହରାଞ୍ଚଳରେ ବିଜେପି ମଜବୁତ ଥିବା ବେଳେ ଶ୍ରମିକ ଏବଂ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଟିଏମସି ଆଗରେ ରହିଛି।

ଏପ୍ରିଲ ୨୯ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ଭୋଟର ତାଲିକା ସଂଶୋଧନ ଯୋଗୁଁ ଭୋଟ୍ ହାର ଅଧିକ ରହିବ ବୋଲି ଆଶା କରାଯାଉଛି। ଏହାର ପ୍ରକୃତ ଫଳାଫଳ ମେ’ ୪ ତାରିଖରେ ସ୍ପଷ୍ଟ ହେବ।

Leave A Reply

Your email address will not be published.