କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ହାଇଭୋଲଟେଜ୍ ପ୍ରଚାର ଅଭିଯାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ’ ୪ ତାରିଖରେ ଫଳାଫଳ ଘୋଷଣା ହେବ। ଚଳିତ ଥର ପ୍ରମୁଖ ବିରୋଧୀ ବିଜେପି ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିଛି। ପ୍ରଚାର ମଇଦାନରେ ମନ୍ଦିର, ମଠ, ହୁଗୁଳି ନଦୀରେ ଡଙ୍ଗା ଯାତ୍ରା ଠାରୁ ଆରମ୍ଭ କରି ‘ଝାଲମୁଢ଼ି’ ଏବଂ ‘ପରିବା’ ବଜାର ପର୍ଯ୍ୟନ୍ତ ସବୁକିଛି ରାଜନୈତିକ ରଙ୍ଗ ନେଇଥିଲା। ଏବେ ବଡ଼ ପ୍ରଶ୍ନ ଉଠୁଛି, ବେଙ୍ଗଲର ଜନତା ମୋଦିଙ୍କ ‘ଝାଲମୁଢ଼ି’ର ସ୍ୱାଦକୁ ପସନ୍ଦ କରିବେ ନା ଦିଦିଙ୍କ ‘ପରିବା ବେଗ’ ଉପରେ ଭରସା କରିବେ?
ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ ବିଗୁଲ୍ ବାଜିବା ପରେ ପଶ୍ଚିମବଙ୍ଗ ଏକ ରାଜନୈତିକ ଆଖାଡାରେ ପରିଣତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୨୧ଟି ମେଗା ରାଲି ଓ ୩ଟି ରୋଡ୍ ସୋ’ କରି ମାହୋଲ ଗରମ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୨୦ଟି ଜନସଭା ଏବଂ ୧୧ଟି ରୋଡ୍ ସୋ’ ମାଧ୍ୟମରେ ପ୍ରଚାର ଅଭିଯାନକୁ ଜୋରଦାର କରିଥିଲେ। ଅନ୍ୟପକ୍ଷରେ, ଦିଦି ମଧ୍ୟ କୌଣସି ଗୁଣରେ କମ୍ ନଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ରୁ ଅଧିକ ରାଲି ଓ ରୋଡ୍ ସୋ’ କରି ଜନତାଙ୍କ ସହ ସିଧାସଳଖ ଯୋଡ଼ି ହେବାକୁ ପ୍ରୟାସ କରିଥିଲେ। ଟିଏମସିର ଯୁବ ନେତା ଅଭିଷେକ ବାନାର୍ଜୀ ୫୦ରୁ ଅଧିକ ସଭା ଓ ପଦଯାତ୍ରା କରି ଦଳ ପାଇଁ ମାହୋଲ ତିଆରି କରିଥିଲେ।
ଚଳିତ ନିର୍ବାଚନରେ ପ୍ରତୀକାତ୍ମକ ବାର୍ତ୍ତା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରଧାନମନ୍ତ୍ରୀ ମୋଦି ଝାଡ଼ଗ୍ରାମରେ ଏକ ଦୋକାନରେ ଅଟକି ନିଜେ ଝାଲମୁଢ଼ି ଖାଇବା ସହ ନିଜେ ପଇସା ଦେଇଥିଲେ, ଯାହାକି ସାଧାରଣ ଜନତାଙ୍କ ସହ ଯୋଡ଼ି ହେବାର ଏକ ବଡ଼ ପ୍ରୟାସ ଥିଲା। ସେହିପରି ମମତା ବାନାର୍ଜୀ ବଜାରରେ ପରିବା କିଣିବା ଏବଂ ଦୋକାନୀମାନଙ୍କ ସହ କଥା ହେବାର ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହା ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କୁ ଦରଦାମ୍ ବୃଦ୍ଧି ଓ ମହଙ୍ଗା ମାଡ଼ ପ୍ରସଙ୍ଗରେ ଘେରିବାକୁ ଚେଷ୍ଟା କରିଥିଲେ। ଏହିଭଳି ଭାବେ ନିର୍ବାଚନୀ ମଇଦାନରେ ଉଭୟ ନେତା ସାଧାରଣ ଲୋକଙ୍କ ସହ ନିଜର ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ।
ବେଙ୍ଗଲ ରାଜନୀତିରେ ଏଥର ଧର୍ମ ଓ ସଂସ୍କୃତିର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦି କାଳୀ ମନ୍ଦିର, ଦକ୍ଷିଣେଶ୍ୱର କାଳୀ ମନ୍ଦିର ଏବଂ ବେଲୁର ମଠ ଦର୍ଶନ କରିଥିବା ବେଳେ ଅମିତ ଶାହ ଇସ୍କନ ମନ୍ଦିର ଏବଂ ଗଙ୍ଗାସାଗର ବୁଲି ଆସ୍ଥାର ବାର୍ତ୍ତା ଦେଇଥିଲେ। ପଛରେ ମମତା ମଧ୍ୟ ନିଜ ସଭାଗୁଡ଼ିକରେ ଚଣ୍ଡୀପାଠ ଏବଂ ମନ୍ଦିର ଦର୍ଶନ ମାଧ୍ୟମରେ ନିଜ ସାଂସ୍କୃତିକ ଗଭୀରତାକୁ ପ୍ରଦର୍ଶନ କରିଥିଲେ।
ମୋଟାମୋଟି ଭାବେ ଏହି ପ୍ରଚାର ଅଭିଯାନ କୌଣସି ଉତ୍ସବ ଠାରୁ କମ୍ ନଥିଲା। ବିଜେପି ‘ଦୁର୍ନୀତି’ ଓ ‘ସିଣ୍ଡିକେଟ୍ ରାଜ୍’କୁ ମୁଦ୍ଦା କରି କ୍ଷମତା ପରିବର୍ତ୍ତନର ଆହ୍ୱାନ ଦେଇଥିବା ବେଳେ ଟିଏମସି କେନ୍ଦ୍ରୀୟ ନେତାଙ୍କୁ ‘ବହିରାଗତ’ କହିବା ସହ ‘ନିଜେର ମେୟେ’ (ଆମ ନିଜ ଝିଅ) ନାରା ଦେଇଛି। ଏବେ ଚୂଡ଼ାନ୍ତ ନିଷ୍ପତ୍ତି ଭୋଟରଙ୍କ ହାତରେ। ମେ’ ୪ ତାରିଖରେ ହିଁ ସ୍ପଷ୍ଟ ହେବ ବଙ୍ଗଳାରେ ବିଜେପିର ‘ପରିବର୍ତ୍ତନ’ ଆସିବ ନା ଦିଦି ପୁଣିଥରେ ସତ୍ତା ଦଖଲ କରିବେ।