Latest Odisha News

BREAKING NEWS

ଖରାଦିନେ ଏସି-କୁଲର ଚାଲିବ, ହେଲେ ଇଲେକ୍ଟ୍ରି ବିଲ୍ ଆସିବନି! ଓଡ଼ିଶାରେ କମାଲ୍ କରୁଛି ସରକାରଙ୍କ ଏହି ଯୋଜନା

ଭୁବନେଶ୍ୱର: ଖରାଦିନ ଆସିଲେ ସାଧାରଣ ଲୋକଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ଲମ୍ବା ବିଜୁଳି ବିଲ୍। ଟିକେ ଗରମ ବଢ଼ିଗଲେ, ଏସି କିମ୍ବା କୁଲର ଅଧିକ ସମୟ ଚଲାଇବାକୁ ଭୟ ଲାଗେ। କିନ୍ତୁ ଟିକେ କଳ୍ପନା କରନ୍ତୁ ତ, ଆପଣଙ୍କ ଘରେ ଦିନରାତି ପଙ୍ଖା ବୁଲିବ ଆଉ ମାସ ଶେଷରେ ଯଦି ବିଜୁଳି ବିଲ୍ ଆସିବ ‘ଶୂନ’ ? ହଁ, ଆପଣ ଠିକ୍ ପଢୁଛନ୍ତି। ଏହା କୌଣସି ସ୍ୱପ୍ନ କିମ୍ବା ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ପ୍ରାୟ ୧୧ ହଜାର ପରିବାର ପାଇଁ ଏବେ ଏହା ନିତିଦିନିଆ ବାସ୍ତବତା ପାଲଟିଛି। ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ସଫଳ ରୂପାୟନ ଏବେ ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ସହ ନବୀକରଣଯୋଗ୍ୟ ଶକ୍ତି (Renewable Energy) କ୍ଷେତ୍ରରେ ଏକ ନୀରବ ବିପ୍ଳବ ଆଣିଛି।

ମାର୍ଚ୍ଚ ୨୦୨୬ ସୁଦ୍ଧା ମିଳିଥିବା ସରକାରୀ ତଥ୍ୟ ଅନୁଯାୟୀ, କେବଳ ପଶ୍ଚିମ ଓଡ଼ିଶାରେ ୧୦,୮୮୫ ଜଣ ଉପଭୋକ୍ତା ନିଜର ବିଜୁଳି ବିଲ୍‌କୁ ସମ୍ପୂର୍ଣ୍ଣ ‘ଜିରୋ’ କରିବାରେ ସଫଳ ହୋଇଛନ୍ତି। ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPWODL) ଦ୍ୱାରା ପରିଚାଳିତ ୧-କିଲୋୱାଟ୍ (1-kW) ‘ୟୁଟିଲିଟି ଲେଡ୍ ଆଗ୍ରିଗେସନ୍’ (ULA) ମଡେଲ୍ ମାଧ୍ୟମରେ ଏହି ବଡ଼ ସଫଳତା ମିଳିପାରିଛି।

ରିପୋର୍ଟ ମୁତାବକ, ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୮,୮୩୦ ଜଣ ଗ୍ରାହକ ନିଜ ଘର ଛାତରେ ‘ରୁଫ୍‌ଟପ୍ ସୋଲାର୍’ (Rooftop Solar) ସିଷ୍ଟମ୍ ଲଗାଇସାରିଲେଣି। ଆଶ୍ଚର୍ଯ୍ୟର କଥା ହେଉଛି, ଏମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଗ୍ରାହକଙ୍କ ବିଜୁଳି ବିଲ୍ ସମ୍ପୂର୍ଣ୍ଣ ‘ଶୂନ’ ଆସୁଥିବା ବେଳେ, ବାକି ୪୦ ପ୍ରତିଶତ ଗ୍ରାହକ ନିଜ ମାସିକ ବିଲ୍‌ରେ ୮୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛନ୍ତି। କେବଳ ମାର୍ଚ୍ଚ ମାସରେ ହିଁ ଏହି ସ୍ୱତନ୍ତ୍ର ମଡେଲ୍ ଅଧୀନରେ ନୂଆ କରି ୧,୪୨୮ ଜଣ ଗ୍ରାହକ ‘ଜିରୋ ବିଲ୍’ ତାଲିକାରେ ସାମିଲ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସାଧାରଣତଃ ସୋଲାର୍ ପ୍ୟାନେଲ୍ ଲଗାଇବା ଖର୍ଚ୍ଚବହୁଳ ବୋଲି ଲୋକେ ଭାବନ୍ତି, କିନ୍ତୁ ଏହି ଯୋଜନାର ସବୁଠାରୁ ଆକର୍ଷଣୀୟ ଦିଗଟି ହେଉଛି ଏହାର ଆର୍ଥିକ ଅନୁଦାନ ଓ ସବସିଡି ବ୍ୟବସ୍ଥା।

TPWODL ର ସ୍ୱତନ୍ତ୍ର ୧-କିଲୋୱାଟ୍ ମଡେଲ୍ ଅଧୀନରେ, ଯୋଗ୍ୟ ହିତାଧିକାରୀମାନେ ମାତ୍ର ୧,୮୭୫ ଟଙ୍କା ଦେଇ ନିଜ ଛାତରେ ସୋଲାର ପ୍ୟାନେଲ୍ ଲଗାଇପାରୁଛନ୍ତି। କମ୍ପାନୀ ନିଜେ ସମସ୍ତ ଇନଷ୍ଟଲେସନ୍ କାମ କରୁଛି। ଏଥିସହ ଯନ୍ତ୍ରାଂଶ ଉପରେ ୫ ବର୍ଷର ୱାରେଣ୍ଟି ଏବଂ ସୋଲାର ପ୍ୟାନେଲ୍ ଉପରେ ଦୀର୍ଘ ୨୫ ବର୍ଷର ପରଫରମାନ୍ସ ୱାରେଣ୍ଟି ଦିଆଯାଉଛି।

ଏହି ସମସ୍ତ ସୋଲାର୍ ସିଷ୍ଟମକୁ ‘ସ୍ମାର୍ଟ ମିଟର’ ସହ ଯୋଡ଼ାଯାଇଛି। ଏହାଦ୍ୱାରା ଛାତରେ କେତେ ବିଜୁଳି ଉତ୍ପାଦନ ହେଉଛି ଏବଂ ଘରେ କେତେ ଖର୍ଚ୍ଚ ହେଉଛି, ତାର ନିର୍ଭୁଲ୍ ହିସାବ କରାଯାଉଛି। ଯେଉଁମାନଙ୍କ ଘରେ ଅଧିକ ବିଜୁଳି ବ୍ୟବହାର ରହିଛି, ସେମାନଙ୍କ ପାଇଁ ସରକାର ବମ୍ପର ସବସିଡି ଦେଉଛନ୍ତି: ୩ କିଲୋୱାଟ୍ ରୁଫ୍‌ଟପ୍ ସୋଲାର୍ ଲଗାଇବାକୁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିରେ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ସହାୟତା ମିଳୁଛି। ୨ କିଲୋୱାଟ୍ (2 kW) ସିଷ୍ଟମର ମୂଲ୍ୟ ୧.୪୦ ଲକ୍ଷ ଟଙ୍କା ଥିବା ବେଳେ ସରକାର ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଯୋଗାଇ ଦେଉଛନ୍ତି।

Leave A Reply

Your email address will not be published.