ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା । ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି । ଏହି ସବୁ ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ବର୍ଷା ଏବଂ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ସେହିପରି କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ସମେତ ୧୬ ଜିଲ୍ଲାରେ ବଜ୍ରପାତ ସହ ୩୦-୫୦ କିମି ବେଗରେ ପବନ ବହିପାରେ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି ।
ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ନୂଆପଡ଼ା ସବୁଠାରୁ ଉତ୍ତପ୍ତ ସହର ହୋଇପାରେ, ଯେଉଁଠାରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ଅନୁଗୋଳରେ ୩୮ ଡିଗ୍ରୀ ରହିପାରେ । ଭୁବନେଶ୍ୱର ଓ କଟକରେ ପାରଦ ୩୪ ଡିଗ୍ରୀ ରହିପାରେ । ଗୋପାଳପୁରରେ ସର୍ବନିମ୍ନ ୩୧ ଡିଗ୍ରୀ ତାପମାତ୍ରା ଅନୁଭୂତ ହେବ ।