କୋଲକାତା (ବ୍ୟୁରୋ): ପଶ୍ଚିମବଙ୍ଗର ରାଜନୈତିକ ଆକାଶରେ ଏବେ ଗେରୁଆ ରଙ୍ଗର ଦବଦବା। ଦିନେ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ସାଧାରଣ ବେଶଭୂଷାରେ ନଜର ଆସୁଥିବା ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଯେଉଁ ରୂପରେ ନଜର ଆସିଲେ, ତାହା ଅନେକ ସଙ୍କେତ ବହନ କରୁଛି। ଶପଥ ଗ୍ରହଣ ସମାରୋହରେ ଶୁଭେନ୍ଦୁଙ୍କ ଗେରୁଆ ପୋଷାକ କେବଳ ଏକ ବସ୍ତ୍ର ନଥିଲା, ବରଂ ଏହା ଥିଲା ବେଙ୍ଗଲରେ ବଦଳୁଥିବା ରାଜନୈତିକ ଆଦର୍ଶର ଏକ ସ୍ପଷ୍ଟ ଚିତ୍ର।
ରାଜନୈତିକ ଗଳିରେ ଏବେ ଗୋଟିଏ ଚର୍ଚ୍ଚା, “ବେଙ୍ଗଲରେ ଯୋଗୀ ରାଜ୍”। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଶୁଭେନ୍ଦୁଙ୍କର ଅନେକ ସମାନତା ଏବେ ଲୋକଲୋଚନକୁ ଆସୁଛି। ଯୋଗୀଙ୍କ ଭଳି ଶୁଭେନ୍ଦୁ ମଧ୍ୟ ଜଣେ ଅବିବାହିତ ବ୍ରାହ୍ମଣ ପରିବାରର ସନ୍ତାନ। କିନ୍ତୁ କେବଳ ବ୍ୟକ୍ତିଗତ ଜୀବନ ନୁହେଁ, ବରଂ ରାଜନୈତିକ ଆଭିମୁଖ୍ୟରେ ମଧ୍ୟ ସେ ଏବେ ‘ୟୁପି ମଡେଲ’କୁ ଆପଣାଇଥିବା ପରି ମନେହେଉଛି।
ନିର୍ବାଚନ ଜିତିବା ପରେ ଶୁଭେନ୍ଦୁଙ୍କ ବୟାନ ରାଜ୍ୟର ସଂଖ୍ୟାଲଘୁ ରାଜନୀତିକୁ ଶକ୍ତ ଧକ୍କା ଦେଇଛି। ସେ ଖୋଲାଖୋଲି ଭାବେ କହିଛନ୍ତି ଯେ, ମୁସଲିମ ଭୋଟର ତାଙ୍କୁ ସମର୍ଥନ କରିନାହାନ୍ତି, ତେଣୁ ତାଙ୍କ ସରକାର ସେମାନଙ୍କ କଥାକୁ ଗୁରୁତ୍ୱ ଦେବନାହିଁ। ଏହି ବୟାନ ସ୍ପଷ୍ଟ କରୁଛି ଯେ, ଶୁଭେନ୍ଦୁ ଏବେ ‘ସବ୍କା ସାଥ୍’ ଅପେକ୍ଷା ନିଜର ଶକ୍ତ ‘ହିନ୍ଦୁ ଭୋଟ୍ ବ୍ୟାଙ୍କ’କୁ ଅଧିକ ପ୍ରାଧାନ୍ୟ ଦେବାକୁ ଚାହୁଁଛନ୍ତି।
ଉତ୍ତର ପ୍ରଦେଶରେ ଯେମିତି ବିଜେପି ହିନ୍ଦୁତ୍ୱବାଦୀ ରାଜନୀତି କରେ ଏବଂ ବିରୋଧୀ ସମାଜବାଦୀ ପାର୍ଟି ସଂଖ୍ୟାଲଘୁଙ୍କୁ ନିଜର ‘ପକେଟ୍ ଭୋଟ୍’ ବୋଲି ଭାବେ, ବେଙ୍ଗଲରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମସିର ସଂଖ୍ୟାଲଘୁ ପ୍ରୀତି ଏବେ ଶୁଭେନ୍ଦୁଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ସେ ଚାହୁଁଛନ୍ତି ବେଙ୍ଗଲରେ ହିନ୍ଦୁ ଭୋଟରଙ୍କୁ ଏକଜୁଟ କରି ଏକ ସ୍ଥାୟୀ ଦୁର୍ଗ ଗଢ଼ିବାକୁ।
ଶୁଭେନ୍ଦୁଙ୍କ ଏହି ‘କଠୋର’ ଆଭିମୁଖ୍ୟ ପଛରେ ଏକ ସୁଚିନ୍ତିତ ରଣନୀତି ଥାଇପାରେ। ଦୀର୍ଘ ଦିନରୁ ବେଙ୍ଗଲ ରାଜନୀତିରେ ତୁଷ୍ଟୀକରଣ (Appeasement) ଅଭିଯୋଗ ଆସିଥିଲା। ଏବେ ଶୁଭେନ୍ଦୁ ସେହି ଅଭିଯୋଗକୁ ଅସ୍ତ୍ର କରି ହିନ୍ଦୁ ଜାଗରଣର ନୂଆ କାର୍ଡ ଖେଳିଛନ୍ତି। ଯଦିଓ ସାମ୍ବିଧାନିକ ଭାବେ ଜଣେ ମୁଖ୍ୟମନ୍ତ୍ରୀ ସବୁ ବର୍ଗର ଲୋକଙ୍କ ପାଇଁ କାମ କରିବା ଉଚିତ, କିନ୍ତୁ ଶୁଭେନ୍ଦୁଙ୍କ ଏହି ‘ୟୁପି ଷ୍ଟାଇଲ’ ରାଜନୀତି ବେଙ୍ଗଲକୁ ଏକ ନୂଆ ମୋଡ଼କୁ ନେଇଯାଇଛି।
ବେଙ୍ଗଲବାସୀ ଦିନେ ଭଦ୍ର ଓ ଧର୍ମନିରପେକ୍ଷ ରାଜନୀତିର କଥା କହୁଥିଲେ। କିନ୍ତୁ ସୁଭେନ୍ଦୁଙ୍କ ଗେରୁଆ ବେଶ ଓ ଶାଣିତ ବୟାନ ସଙ୍କେତ ଦେଉଛି ଯେ, ଆଗାମୀ ଦିନରେ ବେଙ୍ଗଲରେ ରାଜନୀତି କେବଳ ‘ଉନ୍ନୟନ’ରେ ସୀମିତ ରହିବନି, ବରଂ ଏହା ‘ଆଦର୍ଶ’ ଓ ‘ଧର୍ମ’ର ଏକ ବଡ଼ ଲଢ଼େଇରେ ପରିଣତ ହେବ। କଣ ବେଙ୍ଗଲ ସତରେ ଦ୍ୱିତୀୟ ଉତ୍ତର ପ୍ରଦେଶ ହେବାକୁ ଯାଉଛି? ଏହି ପ୍ରଶ୍ନ ଏବେ କୋଲକାତାର ଚା’ ଦୋକାନଠାରୁ ଆରମ୍ଭ କରି ଦିଲ୍ଲୀର ସଂସଦ ଭବନ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି।