ନୂଆଦିଲ୍ଲୀ: କ୍ରିକେଟ ପଡିଆରେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ସର୍ବଦା ଆଗ୍ରେସନ ମୁଡରେ ଦେଖିବାକୁ ମିଳିଥାଏ । ସାମାନ୍ୟ ଘଟଣା ଟିମ ସପକ୍ଷରେ ଗଲେ ସେ ଆବଶ୍ୟକତାଠାରୁ ବେଶ ଉତ୍ସାହିତ ହୋଇ ପଡନ୍ତି । କେତେକ ସମାଲୋଚକଙ୍କ ମତରେ କୋହଲି କ୍ୟାମେରା ପାଇଁ ଏ ଭଳି ଆଗ୍ରେସନ ଅବତାର ସାଜୁଛନ୍ତି । ପୂର୍ବତନ କ୍ରିକେଟର ସଞ୍ଜୟ ମଂଜ୍ରେକର କିନ୍ତୁ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମୁଁ ବହୁତ ଦିନ ହେବ କୋହଲିଙ୍କ ଏହି ଶୈଳୀକୁ ଦେଖି ଆସୁଛି । ସେ ବିପକ୍ଷ ଟିମ ବିରୋଧରେ କ୍ରୋଧାନ୍ୱିତ ନ ହେଲେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ । ସେ ନୀରବ ରହି ଖେଳିବାକୁ ଭଲ ପାଆନ୍ତି ନାହିଁ । ଆଉ ଏହା ହିଁ ତାଙ୍କ ସଫଳତାର ପ୍ର୍କୃତ କାରଣ ।
୧୯ ବର୍ଷରୁ କମ କ୍ରିକେଟ ଖେଳିବା ସମୟରେ ମଧ୍ୟ ସେ ଆଗ୍ରେସିଭ ରହୁଥିଲେ । ୩୭ ବର୍ଷୀୟ ବିରାଟଙ୍କ ଏନର୍ଜି ମୋତେ ଏବେ ବି ଆଶ୍ଚର୍ଯ୍ୟଚକିତ କରୁଛି । ତାଙ୍କ ବୟସର ଖେଳାଳିମାନେ ମାନ୍ଦା ପଡି ଯାଉଥିବା ବେଳେ ସେ କିନ୍ତୁ ପୂର୍ବ ଲୟ ବଜାୟ ରଖିଛନ୍ତି ବୋଲି ମଂଜ୍ରେକର କହିଛନ୍ତି । ଚଳିତ ଆଇପିଏଲରେ ଆରସିବି ଭଲ ପ୍ରଦର୍ଶନ କରି ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛି । ପ୍ରଥମରୁ ଆକର୍ଷଣୀୟ ପ୍ରଦର୍ଶନ କରିଥିବା କୋହଲି କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହେବା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି ।