Latest Odisha News

BREAKING NEWS

ମୋଦିଙ୍କ ଆହ୍ୱାନକୁ ଆଗେଇ ନେଲେ ଦିଲ୍ଲୀ, ୟୁପି… ମୋହନ ସରକାର କଣ କରିବେ?

ଭୁବନେଶ୍ୱର: ଦେଶରେ ବଢ଼ୁଥିବା ତେଲର ଚାପ, ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅସ୍ଥିରତା ଓ ଆର୍ଥିକ ସତର୍କତା ମଧ୍ୟରେ ଏବେ ନୂଆ ପ୍ରଶାସନିକ ମଡେଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟ ଆହ୍ୱାନ ପରେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ବଡ଼ ନିଷ୍ପତ୍ତି ନେଇଥିବା ବେଳେ, ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶାର ମୋହନ ସରକାର ମଧ୍ୟ ସେଇ ରାସ୍ତାରେ ଚାଲିବ କି?

ଯୋଗୀ ସରକାର ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାରକେଡରେ ୫୦ ପ୍ରତିଶତ ଗାଡ଼ି କମେଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାବଶ୍ୟକ ଗାଡ଼ି ହଟାଇବା ସହ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସପ୍ତାହରେ ଗୋଟିଏ ଦିନ ‘ନୋ ଭେଇକିଲ୍‌ ଡେ’ ପାଳନ କରିବା ପ୍ରସ୍ତାବ ମଧ୍ୟ ଆସିଛି।

କେବଳ ସେତିକି ନୁହେଁ। ୱାର୍କ ଫ୍ରମ୍ ହୋମ୍‌କୁ ନେଇ ମଧ୍ୟ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟ ସ୍ତରରେ ଅଡଭାଇଜରୀ ଜାରି କରି ସପ୍ତାହରେ ଦୁଇଦିନ ଘରୁ କାମ କରିବା ପାଇଁ ବଡ଼ ସଂସ୍ଥା ଓ ଷ୍ଟାର୍ଟଅପ୍‌ମାନଙ୍କୁ ପ୍ରୋତ୍ସାହନ ଦେବାକୁ ଯୋଗୀ ସରକାର କହିଛି। ସରକାରୀ ବୈଠକ, ସେମିନାର ଓ ୱର୍କଶପ୍‌ ଭର୍ଚୁଆଲ୍‌ ମୋଡ୍‌ରେ କରିବାକୁ ମଧ୍ୟ ଜୋର ଦିଆଯାଇଛି।

ଏପଟେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗୁରୁତର ହେବା ପରେ ସେଠାର ବିଜେପି ସରକାର ମଧ୍ୟ କାର୍‌ ପୁଲିଂ, ପବ୍ଲିକ ଟ୍ରାନ୍ସପୋର୍ଟ ଓ ୱର୍କ ଫ୍ରମ୍ ହୋମ୍‌ ଉପରେ ଜୋର ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଅନାବଶ୍ୟକ ଗାଡ଼ି ବ୍ୟବହାର କମାନ୍ତୁ ଏବଂ କାର୍‌ ପୁଲିଂ ଆପଣାନ୍ତୁ।

ଏହି ପରିସ୍ଥିତିରେ ଏବେ ଓଡ଼ିଶାରେ ମଧ୍ୟ ଚର୍ଚ୍ଚା ବଢ଼ିଛି। ମୋହନ ମାଝୀ ସରକାର କି ଯୋଗୀ ମଡେଲ୍‌ ଆପଣାଇବେ? ମନ୍ତ୍ରୀଙ୍କ କାରକେଡ୍ ଛୋଟ ହେବ କି? ସଚିବାଳୟର ବୈଠକ ଭର୍ଚୁଆଲ୍‌ ହେବ କି? ଭୁବନେଶ୍ୱର ଭଳି ସହରରେ କାର୍‌ ପୁଲିଂ ଓ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ସରକାର ନୂଆ ନୀତି ଆଣିବ କି? ଏହି ପ୍ରଶ୍ନ ଏବେ ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି ଇନ୍ଧନ ଦର ଆହୁରି ବଢ଼େ ଓ ବିଶ୍ୱ ପରିସ୍ଥିତି ଅସ୍ଥିର ରହେ, ତେବେ ଅନ୍ୟ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏଭଳି ମଡେଲ୍‌କୁ ଆପଣାଇପାରନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ପେଟ୍ରୋଲ-ଡିଜେଲ୍‌ ବ୍ୟବହାର କମାଇବା, ପବ୍ଲିକ ଟ୍ରାନ୍ସପୋର୍ଟ ବଢ଼ାଇବା ଓ ୱର୍କ ଫ୍ରମ୍ ହୋମ୍‌ ଉପରେ ଜୋର ଦେଇଛନ୍ତି।

Leave A Reply

Your email address will not be published.