Latest Odisha News

BREAKING NEWS

ଚଳିତ ବର୍ଷ ସାରା ଦେଶ ସମେତ ଓଡ଼ିଶାରେ କମିବ ମୌସୁମୀ ବର୍ଷା, ବଢ଼ିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଖୁବଶୀଘ୍ର କେରଳରେ ମୌସୁମୀ ଛୁଇଁବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ନିରାଶଜନକ ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ସାରା ଦେଶରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଓଡ଼ିଶାରେ ମଧ୍ୟ ଆଶାନୁରୂପକ ବର୍ଷା ହେବ ନାହିଁ ବୋଲି ଆଇଏମଡି ଆକଳନ କରିଛି। କୃଷି ଉପରେ ନିର୍ଭର କରୁଥିବା ଆମ ରାଜ୍ୟ ପାଇଁ ଏହି ପାଣିପାଗ ସୂଚନା ବେଶ ଚିନ୍ତାଜନକ ହୋଇପାରେ।

 

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଏଥର ମୌସୁମୀ ସମୟରେ ଦେଶରେ ହାରାହାରି ମାତ୍ର ୯୦ ପ୍ରତିଶତ ବର୍ଷା ହେବ। ବିଶେଷ କରି ଜୁନ ମାସରେ ମୌସୁମୀ ବର୍ଷାର ପରିମାଣ ଯଥେଷ୍ଟ କମ ରହିବ। ଓଡ଼ିଶା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ଏବଂ ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ରେକର୍ଡ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

ଅନ୍ୟପଟେ କେବଳ କମ ବର୍ଷା ନୁହେଁ ଜୁନ ମାସରେ ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହିବା ନେଇ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ସାରା ଦେଶରେ ଅଧିକ ଗରମ ଅନୁଭୂତ ହେବା ସହ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିବ। ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ସ୍ୱାଭାବିକ ଠାରୁ ଅଧିକ ସମୟ ଯାଏଁ ରହିବ। ତେଣୁ ଏଭଳି ପରିସ୍ଥିତିରେ ଖରା ଏବଂ ଗୁଳୁଗୁଳିରୁ ଲୋକଙ୍କୁ ସହଜରେ ଆଶ୍ୱସ୍ତି ମିଳିବାର ସମ୍ଭାବନା କ୍ଷୀଣ।

Leave A Reply

Your email address will not be published.