ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ଆର୍ଥିକ କାରବାର ପାଇଁ ପାନ୍ କାର୍ଡ ନିହାତି ଆବଶ୍ୟକ। ବ୍ୟାଙ୍କରେ ଖାତା ଖୋଲିବା ଠାରୁ ଆରମ୍ଭ କରି ଆୟକର ରିଟର୍ଣ୍ଣ ଦାଖଲ କରିବା ପର୍ଯ୍ୟନ୍ତ ସବୁଠି ଏହା ଦରକାର ପଡୁଛି। କିନ୍ତୁ ଆପଣ ଜାଣନ୍ତି କି ଗୋଟିଏରୁ ଅଧିକ ପାନ୍ କାର୍ଡ ରଖିବା ବେଆଇନ ଅଟେ। ଯଦି ଆପଣଙ୍କ ପାଖରେ ଭୁଲବଶତଃ କିମ୍ବା ଜାଣିଶୁଣି ଦୁଇଟି ପାନ କାର୍ଡ ରହିଛି ତେବେ ଆପଣ ବଡ଼ ଅସୁବିଧାରେ ପଡିପାରନ୍ତି।
ଆୟକର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ଗୋଟିଏ ପାନ୍ କାର୍ଡ ନିଜ ପାଖରେ ରଖିପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏକାଧିକ ପାନ୍ କାର୍ଡ ଥିବା ଧରାପଡେ ତେବେ ତାଙ୍କୁ କଡା ଦଣ୍ଡ ଭୋଗିବାକୁ ପଡିବ। ଆୟକର ବିଭାଗର ଧାରା ୨୭୨ ବି ଅନୁଯାୟୀ ଏହି ଭୁଲ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ। ଏହାଛଡା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଅଚଳ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ନେଣଦେଣ ବେଳେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ଅନେକ ସମୟରେ ଲୋକେ ନାଁ କିମ୍ବା ଠିକଣା ବଦଳାଇବା ପାଇଁ ପୁଣିଥରେ ନୂଆ ପ୍ୟାନ କାର୍ଡ ଆବେଦନ କରିଦିଅନ୍ତି। ଏହା ଫଳରେ ସେମାନଙ୍କ ନାମରେ ଦୁଇଟି କାର୍ଡ ଇସ୍ୟୁ ହୋଇଯାଏ। ନିୟମ ନଜାଣି ଲୋକେ ଏହି ଭୁଲ କରିବସନ୍ତି କିନ୍ତୁ ବିଭାଗ ପାଖରେ ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣଙ୍କ ପାଖରେ ମଧ୍ୟ ଦୁଇଟି କାର୍ଡ ଅଛି ତେବେ ତୁରନ୍ତ ଗୋଟିଏ କାର୍ଡକୁ ସରେଣ୍ଡର କିମ୍ବା ଜମା କରିଦେବା ଉଚିତ। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି।
ଅତିରିକ୍ତ ପାନ୍ କାର୍ଡ ଫେରାଇବା ପାଇଁ ଏକ ସହଜ ପ୍ରକ୍ରିୟା ରହିଛି। ଆପଣ ଚାହିଁଲେ ଏନଏସଡିଏଲ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଏହାକୁ ବାତିଲ କରିପାରିବେ। ଏଥିପାଇଁ ପାନ୍ ଚେଞ୍ଜ ରିକ୍ୱେଷ୍ଟ ଫର୍ମ ପୂରଣ କରିବାକୁ ହେବ ଏବଂ ଉପରେ ରଖିବାକୁ ଚାହୁଁଥିବା ପାନ୍ ନମ୍ବର ଦେବାକୁ ହେବ। ଏହା ବ୍ୟତୀତ ନିଜ ପାଖରେ ଥିବା ଆୟକର ବିଭାଗ ଅଫିସକୁ ଯାଇ ଏକ ଫର୍ମ ପୂରଣ କରି ଅଫଲାଇନରେ ମଧ୍ୟ କାର୍ଡ ସରେଣ୍ଡର କରିହେବ। ତେଣୁ ବିଳମ୍ବ ନକରି ଆଜି ହିଁ ନିଜର ଅତିରିକ୍ତ କାର୍ଡକୁ ବାତିଲ କରି ଭବିଷ୍ୟତର ଜରିମାନାରୁ ବର୍ତ୍ତି ଯାଆନ୍ତୁ।