Latest Odisha News

BREAKING NEWS

ଏସଆଇଆର କାମରେ ଅବହେଳା, ନିଲମ୍ଵିତ ହେଲେ ବିଡିଓ

ମୟୁରଭଞ୍ଜ: ନିଲମ୍ବିତ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ । ଏସଆଇଆର କାର୍ଯ୍ୟରେ ଅବହେଳା କାରଣରୁ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ସ୍ମୃତିମୟୀ ବନଜା ଦାସଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ନିଲମ୍ବିତ କରିଥିବା ସୂଚନା ରହିଛି ।

ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ’ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (ଏସଆଇଆର-୨୦୨୬) କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତ ୨୩ ମେ ରେ ଆୟୋଜିତ ଭର୍ଚ୍ଚୁଆଲ ଟ୍ରେନିଂରେ ସ୍ମୃତିମୟୀ ବନଜା ଦାସ ଅନୁପସ୍ଥିତ ଥିଲେ । ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ । ଏହା ବ୍ୟତୀତ ମେ’ ୨୬ ଓ ୨୭ ତାରିଖରେ ବିଏଲଓ ଏବଂ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ସେ ବିଫଳ ହେବା ସହ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ନିଜ ମନମୁଖୀ ଭାବେ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଏବଂ କୌଣସି ଅନୁମତି ନ ନେଇ ସେ ଛୁଟିରେ ରହିବା ସହ ପରବର୍ତ୍ତୀ ପ୍ରଶିକ୍ଷଣ ସମୟରେ ମଧ୍ୟ ଅନୁପସ୍ଥିତ ରହିଥିଲେ । ଏଭଳି ବାରମ୍ବାର ଅନୁପସ୍ଥିତି ଓ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବଡ଼ସାହି ବ୍ଲକରେ ଏସଆଇଆର-୨୦୨୬ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ।

Leave A Reply

Your email address will not be published.