Latest Odisha News

BREAKING NEWS

ବୈଠକରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା: ଜିଲ୍ଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ । ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭ ନଂ ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ ବୈଠକ ମଝିରେ ପେଟ୍ରୋଲ ଢାଳିହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଖରେ ବସିଥିବା ଅନ୍ୟ ସଦସ୍ୟମାନେ ତାଙ୍କୁ କାବୁ କରିଥିଲେ।

ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଅବହେଳାକୁ ନେଇ ଅନ୍ୟ ସଦସ୍ୟମାନେ ପ୍ରତିବାଦ କରିଥିଲେ। ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ସଭାପତି ପ୍ରଶାନ୍ତ ଜଗଦ୍ଦେବ, ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାଥାଉକି, ପୂର୍ବାହ୍ନ ସାଢ଼େ ୧୧ ଟାବେଳେ ବୈଠକ ଆରମ୍ଭ ହୋଇଥିଲା।ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ ବୈଠକରେ ସଭାପତିତ୍ୱ କରିଥିଲେ। ଉନ୍ନୟନ ଅଧିକାରୀ ସାହୁଙ୍କ ସ୍ବାଗତ ଭାଷଣ ପରେ ବୈଠକ ଆରମ୍ଭ ହୋଇଥିଲା। ଏହାର ୩୦ ମିନିଟ୍‌ ପରେ ହଠାତ ଜିଲ୍ଲା ପରିଷଦ ସଭ୍ୟ ଛୋଟରାୟ ମୋର କିଛି କହିବାର ଅଛି କହି ଉଠିଥିଲେ। ପୂର୍ବରୁ ପାଖରେ ରଖିଥିବା ଏକ ବ୍ୟାଗରୁ ପେଟ୍ରୋଲ ଥିବା ବୋତଲ ବାହାର କରି ନିଜ ଦେହରେ ଢାଳିହୋଇ ଦିଆସିଲ ଲଗାଇବା ବେଳେ ପାଖରେ ଥିବା ଅନ୍ୟ ସଭ୍ୟମାନେ ତାଙ୍କୁ କାବୁ କରି ନେଇଥିଲେ।

ଏନେଇ ପ୍ରଦୀପ୍ତ ଛୋଟରାୟ କହିଛନ୍ତି, ଏହି ଘଟଣା ସମ୍ପର୍କରେ ପୂର୍ବରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହିଁ। ବାରମ୍ବାର ନିରାଶ ହେବା ପରେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି। ବିଡିଓଙ୍କ ମୁଷ୍ଟିମେୟ ନେତା, ଲୋକଙ୍କ ପ୍ରରୋଚନାରେ ବୋଲଗଡ଼ ବ୍ଲକରେ ଅଶାନ୍ତି ସୃଷ୍ଟି କରୁଛନ୍ତି ।

Leave A Reply

Your email address will not be published.