Latest Odisha News

BREAKING NEWS

ଯାଜପୁରରେ ଗୋଷ୍ଠୀ ସଂଘର୍ଷ: ଭାଗବତ ଟୁଙ୍ଗି ନିର୍ମାଣକୁ ନେଇ ବୋମାମାଡ଼, ୬ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ବୁଲାକିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଭାଗବତ ଟୁଙ୍ଗି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷ ସମୟରେ ବୋମାମାଡ଼ ସାଙ୍ଗକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି, ଯେଉଁଥିରେ ୬ ଜଣରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।

 

ମିଳିଥିବା ସୂଚନା ଅନୁଯାୟୀ, ବୁଲାକିପୁର ଗ୍ରାମରେ ଭାଗବତ ଟୁଙ୍ଗି ନିର୍ମାଣକୁ ନେଇ ପୂର୍ବରୁ ଦୁଇ ପକ୍ଷ ମଧ୍ୟରେ ବିବାଦ ରହିଥିଲା। ଗତକାଲି ରାତିରେ ଯେତେବେଳେ ଭାଗବତ ଟୁଙ୍ଗିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା, ସେହି ସମୟରେ ଦୁଇ ଗୋଷ୍ଠୀର ଲୋକେ ଆମନା-ସାମନା ହୋଇଥିଲେ। ଦେଖୁଦେଖୁ ଏହି ବଚସା ଉଗ୍ର ରୂପ ନେଇଥିଲା ଏବଂ ଉଭୟ ପକ୍ଷ ପରସ୍ପର ଉପରକୁ ବୋମାମାଡ଼ କରିବା ସହ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ।

 

ଏହି ରକ୍ତାକ୍ତ ସଂଘର୍ଷରେ ଗାଁରେ ୬ ଜଣରୁ ଅଧିକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ସମସ୍ତ ଗୁରୁତର ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି।

 

ଏହି ଘଟଣା ପରେ ବୁଲାକିପୁର ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଗ୍ରାମରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ସତର୍କ ନଜର ରଖିଛି।

Leave A Reply

Your email address will not be published.