ବାଲେଶ୍ୱର: ବାହାଘର ମଣ୍ଡପରେ ହଠାତ୍ ବଦଳିଗଲା ବରର ମନ। ଅଧା ବାଟରେ ଅଟକିଗଲା ବିବାହ କାର୍ଯ୍ୟ। କନିଆଁକୁ ବେଦୀରେ ଛାଡ଼ି ଛୁ’ ମାରିଲା ବର। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ବିବାହ ଅଧାରୁ ବର ପଳାଇବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଅପରପକ୍ଷରେ ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ ହେବା ପରେ ଏବେ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିବାହ ଉତ୍ସବ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ବନ୍ଧୁବାନ୍ଧବ ଓ ଅତିଥିଙ୍କ ଗହଣରେ ପରିବେଶ ବେଶ୍ ଉତ୍ସବମୁଖର ଥିଲା। ନିର୍ଦ୍ଧାରିତ ସମୟରେ ବରଯାତ୍ରୀ ଆସିବା ପରେ ବର ଓ କନ୍ୟା ବିବାହ ବେଦୀରେ ବସିଥିଲେ। କିନ୍ତୁ ବିବାହର ରୀତିନୀତି ସମ୍ପନ୍ନ ହେଉଥିବା ସମୟରେ ହଠାତ୍ ବରର ମନରେ ପରିବର୍ତ୍ତନ ଆସିଥିଲା। ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି କନିଆଁକୁ ମଣ୍ଡପରେ ଏକାକୀ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲା।
ବେଦୀରେ ସବୁକିଛି ଠିକ୍ ଚାଲିଥିବା ବେଳେ ବର ହଠାତ୍ ଏଭଳି ପଦକ୍ଷେପ ନେବା ଉଭୟ ପରିବାର ସମେତ ଉପସ୍ଥିତ ଅତିଥିଙ୍କୁ ସ୍ତବ୍ଧ କରିଦେଇଛି।
ବରର ଏଭଳି ନାଟକୀୟ ଆଚରଣ ପରେ କନ୍ୟା ପକ୍ଷ ଓ ବର ପକ୍ଷ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖୁସିର ମାହୋଲ୍ କ୍ଷଣିକ ମଧ୍ୟରେ ଦୁଃଖ ଓ ବିବାଦରେ ପରିଣତ ହୋଇଯାଇଥିଲା। ବିବାହ ଭାଙ୍ଗିବା ପରେ କନ୍ୟା ପକ୍ଷ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ବର କେଉଁ ପରିସ୍ଥିତିରେ ଏବଂ କାହିଁକି ବେଦୀ ଛାଡ଼ି ପଳାଇଲା, ତାହାର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ତଦନ୍ତ ଚଳାଇଛି।