ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ଆମେରିକୀୟ ସଂସଦର ନିମ୍ନ ସଦନ ବା ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ (War Powers Resolution) ପାରିତ ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି।
ବୁଧବାର ଦିନ ଆମେରିକା ସଂସଦରେ ଆଗତ ହୋଇଥିବା ଏହି ବିଲ୍ ସପକ୍ଷରେ ୨୧୫ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୦୮ଟି ଭୋଟ୍ ପଡ଼ିଥିଲା। ରିପବ୍ଲିକାନ୍ ପାର୍ଟିର ୪ ଜଣ ସାଂସଦ (ଥୋମାସ୍ ମାସି, ବ୍ରାଏନ୍ ଫିଟ୍ଜପ୍ୟାଟ୍ରିକ୍, ଟମ୍ ବାରେଟ୍ ଏବଂ ୱାରେନ୍ ଡେଭିଡସନ୍) ଦଳୀୟ ଶୃଙ୍ଖଳା ଭାଙ୍ଗି ଡେମୋକ୍ରାଟ୍ସଙ୍କ ସମର୍ଥନରେ ଆସିଥିଲେ। ଯାହା ଫଳରେ ଏହି ପ୍ରସ୍ତାବଟି ସଂଖ୍ୟାଗରିଷ୍ଠତା ହାସଲ କରି ପାରିତ ହୋଇଥିଲା। ଏହି ଘଟଣା ରାଷ୍ଟ୍ରପତି ଟ୍ରମ୍ପଙ୍କ ଇରାନ ନୀତି ପ୍ରତି ବଢୁଥିବା ଅସନ୍ତୋଷକୁ ଦର୍ଶାଉଛି।
୧୯୭୩ ମସିହାରେ ତିଆରି ହୋଇଥିବା ଏହି ଆଇନ ଅନୁଯାୟୀ, କଂଗ୍ରେସର (ଆମେରିକା ସଂସଦ) ସ୍ୱୀକୃତି ବିନା ରାଷ୍ଟ୍ରପତି ନିଜ ଇଚ୍ଛାରେ ୬୦ ଦିନରୁ ଅଧିକ ସମୟ ଧରି କୌଣସି ବିଦେଶୀ ରାଷ୍ଟ୍ରରେ ସାମରିକ କାର୍ଯ୍ୟାନୁଷ୍ଠାନ ବା ଯୁଦ୍ଧ ଜାରି ରଖିପାରିବେ ନାହିଁ। ଇରାନ ସହ ଚାଲିଥିବା ବିବାଦ ୯୦ ଦିନ ଅତିକ୍ରମ କରିସାରିଥିବାରୁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ବିରୋଧୀଙ୍କ କହିବା ଅନୁଯାୟୀ, ଏହି ଯୁଦ୍ଧ ଆମେରିକାର ଟିକସଦାତାଙ୍କର ପ୍ରାୟ ୧୦୦ ବିଲିୟନ୍ ଡଲାର ଖର୍ଚ୍ଚ କରାଇସାରିଲାଣି ଏବଂ ଏହାର କୌଣସି ନିର୍ଦ୍ଦିଷ୍ଟ ଅନ୍ତ ଦେଖାଯାଉନାହିଁ।
ହାଉସ୍ ସ୍ପିକର୍ (ବାଚସ୍ପତି) ମାଇକ୍ ଜନସନ୍ ଏହି ପ୍ରସ୍ତାବକୁ କଡ଼ା ବିରୋଧ କରିଛନ୍ତି। ତାଙ୍କ ମତରେ ଏଭଳି ପ୍ରସ୍ତାବ ଶାନ୍ତି ଚୁକ୍ତି ପାଇଁ ଚାଲିଥିବା ଆଲୋଚନାକୁ ପ୍ରଭାବିତ କରିବ ଏବଂ ଶତ୍ରୁ ପକ୍ଷ ଆଗରେ ଆମେରିକାକୁ ଦୁର୍ବଳ ପ୍ରମାଣିତ କରିବ। ତେବେ ହାଉସ୍ରେ ପାରିତ ହେବା ପରେ ବର୍ତ୍ତମାନ ଏହି ବିଲ୍ ଉଚ୍ଚ ସଦନ ‘ସିନେଟ୍’କୁ ଯିବ। ଯଦି ସିନେଟରେ ଏହା ପାସ୍ ହୋଇଯାଏ, ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟକୁ ଯିବ। ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ ନିଶ୍ଚିତ ଭାବରେ ନିଜ ଭିଟୋ କ୍ଷମତା ପ୍ରୟୋଗ କରି ଏହାକୁ ଖାରଜ କରିଦେବେ, କିନ୍ତୁ ଏହି ଭୋଟିଂ ଟ୍ରମ୍ପଙ୍କ ପ୍ରଶାସନ ପାଇଁ ଏକ ବଡ଼ ନୈତିକ ପରାଜୟ ବୋଲି ବିବେଚନା କରାଯାଉଛି।

Comments are closed.