Latest Odisha News

BREAKING NEWS

ଖରା ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଆସନ୍ତା ୬ରୁ ୮ ଦିନ ମଧ୍ୟରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିପାରେ। ପାଣିପାଗ ଆକଳନ ଅନୁସାରେ, ପୂର୍ବ ଭାରତ ଆଡ଼କୁ ମୌସୁମୀ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ହେଉଛି।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ଆସନ୍ତା ସପ୍ତାହରେ ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପହଞ୍ଚିବାର ସମ୍ଭାବନା ବଢ଼ିଛି। ମୌସୁମୀ ଆସିଲେ ରାଜ୍ୟରେ ବ୍ୟାପକ ବର୍ଷାର ଆଶା ରହିଛି। ଏହା ଖରା ଓ ଆର୍ଦ୍ରତାରୁ ଲୋକଙ୍କୁ ରାହତ ଦେବା ସହିତ ଚାଷୀଙ୍କ ପାଇଁ ମଧ୍ୟ ବଡ଼ ସହାୟକ ହେବ।

ଯଦି ଆକଳନ ଅନୁସାରେ ମୌସୁମୀ ଆଗକୁ ବଢ଼େ, ତେବେ ଜୁନ୍‌ ମାସର ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ରାଜ୍ୟରେ ପାଗରେ ବଡ଼ ପରିବର୍ତ୍ତନ ଦେଖାଯାଇପାରେ।

ଏପଟେ ୨୦୨୬ରେ ଏଲ୍‌ ନିନୋ ପ୍ରଭାବ ଦୁର୍ବଳ ରହିପାରେ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। ଏହା ଭାରତ ପାଇଁ, ବିଶେଷ କରି ଓଡ଼ିଶା ଭଳି ପାଣିପାଗ ସମ୍ବେଦନଶୀଳ ରାଜ୍ୟ ପାଇଁ, ଏକ ଭଲ ସଙ୍କେତ ଭାବେ ଦେଖାଯାଉଛି। ସାମୁଦ୍ରିକ ପରିସ୍ଥିତି ଅନୁକୂଳ ରହିଲେ ମୌସୁମୀ ଅଧିକ ସ୍ଥିର ହୋଇପାରେ।

ତଥାପି ମୌସୁମୀ ପୂର୍ବରୁ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଜୁନ୍‌ ୧୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ, ଝଡ଼ପବନ ଓ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଶନିବାର ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା, ଜୋର ପବନ ଓ କୁଆପଥର ମାଡ଼ ଯୋଗୁଁ ରାଜଧାନୀର ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିଲା ଏବଂ ଯାତାୟାତ ପ୍ରଭାବିତ ହୋଇଥିଲା। ଏପରି ପାଗ ସମୟରେ ଲୋକଙ୍କୁ ଗଛ ତଳେ ନ ରହିବା ଓ ବଜ୍ରପାତରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.