ନୂଆଦିଲ୍ଲୀ: ଦିନକୁ ଦିନ ତୃଣମୂଳ କଂଗ୍ରେସ ଭିତରେ ରାଜନୈତିକ ସଙ୍କଟ ଆହୁରି ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ TMCରେ ବଡ଼ ଫାଟ ଦେଖିବାକୁ ମିଳିଛି। ଦଳର ବରିଷ୍ଠ ସାଂସଦ କାକୋଲି ଘୋଷ ଦାବି କରିଛନ୍ତି ଯେ ଦଳର ପ୍ରାୟ ୨୦ ଜଣ ସାଂସଦ ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାକୋଲି ଘୋଷ କହିଛନ୍ତି ଯେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହା ବିଷୟରେ ସୂଚନା ଦିଆଯାଇଛି। ବର୍ତ୍ତମାନ, ଟିଏମସିର ଲୋକସଭାରେ ୨୮ ଜଣ ଏବଂ ରାଜ୍ୟସଭାରେ ୧୨ ଜଣ ସାଂସଦ ଅଛନ୍ତି।
କାକୋଲି ଘୋଷ କହିଛନ୍ତି ଯେ କେନ୍ଦ୍ରରେ ଶାସକ ମେଣ୍ଟକୁ ସମର୍ଥନ କରିବାକୁ ସେମାନଙ୍କର ଇଚ୍ଛା ଜଣାଇ ବାଚସ୍ପତିଙ୍କୁ ଏକ ଚିଠି ପଠାଯାଇଛି। କାକୋଲି ଘୋଷ ନୂଆ ଗୋଷ୍ଠୀର ହେବେ ମୁଖ୍ୟ ସଚେତକ। ଶତାଦ୍ଦୀ ରାୟଙ୍କୁ ଦଳର ଉପନେତା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସାଥୀ ସାଂସଦମାନଙ୍କ ସହିତ ପରାମର୍ଶ କରିବା ପରେ ନିଆଯାଇଛି ବୋଲି କହିଛନ୍ତି କାକୋଲି ଘୋଷ। ଋତବ୍ରତଙ୍କୁ ୫୮ ବିଧାୟକଙ୍କ ସପୋର୍ଟ ପରେ ସାଂସଦ ସମାନ ରାସ୍ତାରେ ଚାଲୁଛନ୍ତି।
ମମତା INDIA ବ୍ଲକ ବୈଠକକୁ ଯିବା ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅସନ୍ତୁଷ୍ଟ ସାଂସଦ। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ ସଙ୍କଟ ବଢ଼ିବାରେ ଲାଗିଛି। ଅନେକ ନେତା ଦଳରୁ ଇସ୍ତଫା ଦେଇଛନ୍ତି, ଏବଂ ଏବେ ୨୦ ଜଣ ସାଂସଦ ଟିଏମସି ଛାଡି ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।