Latest Odisha News

BREAKING NEWS

ଫିଫା ବିଶ୍ୱକପ୍‌-୨୦୨୬ ସୁପରଷ୍ଟାର୍: ‘ଶାର୍କ’ କିଲିଆନ୍‌ ଏମ୍ବାପେ

ଭାଙ୍ଗିବେ କି ମିରୋସ୍ଲାଭ୍ କ୍ଲୋଜ୍‌ଙ୍କ ସର୍ବକାଳୀନ ରେକର୍ଡ ?

ପ୍ୟାରିସର ବୋଣ୍ଡି ସହରରୁ ବାହାରି ବିଶ୍ୱ ଫୁଟବଲ୍‌ରେ ରାଜ୍ କରୁଥିବା କିଲିଆନ୍‌ ଏମ୍ବାପେଙ୍କ ପାଇଁ ୨୦୨୬ ବିଶ୍ୱକପ୍ ଅତି ଗୁରୁତ୍ୱପୂର୍ଣ୍ଣ। ୨୦୧୮ରେ ବିଶ୍ୱକପ୍ ବିଜେତା ଏବଂ ୨୦୨୨ କତାର ବିଶ୍ୱକପ୍‌ରେ ରନର୍ସ-ଅପ୍ ହୋଇଥିବା ଫ୍ରାନ୍ସ ଦଳର ଏହି କ୍ୟାପଟେନ୍ ଏବେ ଲଗାତାର ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିବା ଲକ୍ଷ୍ୟରେ ଅଛନ୍ତି। ଟ୍ରାକ୍‌ରେ ଚିତାବାଘ ଭଳି ଦ୍ରୁତ ଗତି ଏବଂ ମଇଦାନରେ ସାଙ୍ଘାତିକ ଫିନିସିଂ ପାଇଁ ପରିଚିତ ଏମ୍ବାପେଙ୍କୁ ନେଇ ପୂର୍ବତନ କୋଚ୍ ଥୋମାସ ଟୁଚେଲ୍ କହିଥିଲେ, “ମେଣ୍ଟାଲିଟି ଦୃଷ୍ଟିରୁ ଏମ୍ବାପେ ଜଣେ ଶାର୍କ, ଯିଏ ପଡ଼ିଆକୁ ଓହ୍ଲାଇଲେ ସବୁକିଛି ଜିତିବାକୁ ଚାହାଁନ୍ତି।”

କ୍ଲବ୍ ସ୍ତରରେ ମୋନାକୋ, ପିଏସଜି ଏବଂ ବର୍ତ୍ତମାନ ରିଆଲ ମାଦ୍ରିଦ ପାଇଁ ଖେଳୁଥିବା ଏମ୍ବାପେ ଏପର୍ଯ୍ୟନ୍ତ ୧୮ଟି ବଡ଼ ଟ୍ରଫି ନିଜ ନାମରେ କରିସାରିଛନ୍ତି।

ଏହି ବିଶ୍ୱକପ୍‌ରେ ଏମ୍ବାପେଙ୍କ ସାମ୍ନାରେ ରହିଛି କିଛି ଐତିହାସିକ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ।

ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଏମ୍ବାପେ ୧୨ଟି ଗୋଲ୍ କରିଛନ୍ତି। ଯଦି ସେ ଏହି ଟୁର୍ଣ୍ଣାମେଣ୍ଟରେ ଆଉ ୫ଟି ଗୋଲ୍ କରନ୍ତି, ତେବେ ସେ ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜ୍‌ଙ୍କ ୧୬ ଗୋଲ୍‌କୁ ପଛରେ ପକାଇ ବିଶ୍ୱକପ୍ ଇତିହାସର ସର୍ବକାଳୀନ ସର୍ବାଧିକ ଗୋଲ୍‌ଦାତା ବନିଯିବେ।
ମାତ୍ର ୨ଟି ଗୋଲ୍ କଲେ ସେ ଜଷ୍ଟ ଫଣ୍ଟେନଙ୍କୁ ପଛରେ ପକାଇ ଫ୍ରାନ୍ସର ନମ୍ବର-ୱାନ ବିଶ୍ୱକପ୍ ସ୍କୋରର ହେବେ।
ଏହା ସହ ଲିଓନେଲ ମେସିଙ୍କ ୯ଟି ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ରେକର୍ଡକୁ ଭାଙ୍ଗିବା ପାଇଁ ମଧ୍ୟ ଏମ୍ବାପେ (ଦୌଡ଼ରେ ଅଛନ୍ତି।

କେବଳ ଏମ୍ବାପେ ନୁହଁନ୍ତି, ଏଥର ଫ୍ରାନ୍ସର ପୁରା ଆଟାକିଂ ଲାଇନ୍‌ ଅତି ଶକ୍ତିଶାଳୀ। ୨୦୨୫ର ‘ଫିଫା ବେଷ୍ଟ ପ୍ଲେୟାର’ ଓସମାନେ ଡେମ୍ବେଲେ ଏବଂ ବାୟର୍ଣ୍ଣ ମ୍ୟୁନିକର ଷ୍ଟାର୍ ମାଇକେଲ୍ ଓଲିସେଙ୍କ ଭଳି ଖେଳାଳି ଏମ୍ବାପେଙ୍କୁ ସାଥ୍ ଦେଉଛନ୍ତି। ଗତ ୧୪ ବର୍ଷ ଧରି ଦଳର କୋଚ୍ ଥିବା ଡିଡିୟର ଦେଶାମ୍ପସଙ୍କ ପାଇଁ ଏହା ଶେଷ ବିଶ୍ୱକପ୍ ହୋଇଥିବାରୁ, ଦଳ ତାଙ୍କୁ ଏକ ଐତିହାସିକ ବିଦାୟୀ ଉପହାର ଦେବାକୁ ଚାହିଁବ।

ବିଶ୍ୱକପ୍‌ ଇତିହାସର ଫାଇନାଲ୍ ମ୍ୟାଚ୍‌ଗୁଡ଼ିକରେ ସବୁଠାରୁ ଅଧିକ ଗୋଲ୍ କରିବାର କୀର୍ତ୍ତିମାନ ସ୍ଥାପନ କରିଥିବା ଏମ୍ବାପେ, କଣ ଏଥର ଫ୍ରାନ୍ସକୁ ପୁଣିଥରେ ବିଶ୍ୱବିଜେତା କରାଇପାରିବେ ? ତାହା ଉପରେ ଏବେ ସାରା କ୍ରୀଡ଼ା ଜଗତର ନଜର।

Leave A Reply

Your email address will not be published.