ଭୁବନେଶ୍ୱର: ଏମ୍ସର ଜଣେ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ଡାକ୍ତର ଜଣକ ହେଉଛନ୍ତି କର୍ଣ୍ଣାଟକର ଦିବ୍ୟା ଭି। ସେ ଏମ୍ସ ହସ୍ପିଟାଲରେ ଜୁନିଅର ରେସିଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଏହି ଘଟଣାରେ ସ୍ଥାନୀୟ ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଡାକ୍ତର ଦିବ୍ୟା ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁ ଡୁମୁଡୁମା ଅଞ୍ଚଳରେ ଏକ ଘର ଭଡ଼ା ନେଇ ଏକାଠି ରହୁଥିଲେ। ଉଭୟ ଏମ୍ସରେ ଜୁନିଅର ରେସିଡେଣ୍ଟ ଭାବେ କାମ କରୁଥିଲେ। ବିଗତ କିଛି ଦିନ ହେବ ଶାରୀରିକ ଅସୁସ୍ଥତା ଯୋଗୁଁ ଦିବ୍ୟା ପ୍ରବଳ ମାନସିକ ଅବସାଦ ମଧ୍ୟରେ ଗତି କରୁଥିଲେ। ମଙ୍ଗଳବାର ସକାଳେ ତାଙ୍କ ପୁରୁଷ ବନ୍ଧୁ ନିଜ ଡ୍ୟୁଟିକୁ ଚାଲିଯାଇଥିବା ବେଳେ ଦିବ୍ୟା ଘରେ ସମ୍ପୂର୍ଣ୍ଣ ଏକାକୀ ଥିଲେ।
ପୁରୁଷ ବନ୍ଧୁଜଣକ ଡ୍ୟୁଟି ସାରି ଘରକୁ ଫେରିବା ପରେ ବାରମ୍ବାର ଡାକିବା ସତ୍ତ୍ୱେ ଦିବ୍ୟା କବାଟ ଖୋଲି ନଥିଲେ। କୌଣସି ପ୍ରତିକ୍ରିୟା ନ ମିଳିବାରୁ ସନ୍ଦେହ ଜାତ ହେବାରୁ ସେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ଦିବ୍ୟା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲୁଥିବା ସେ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ତାଙ୍କୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ମୃତଦେହକୁ ସୁରକ୍ଷିତ ଭାବେ ରଖିଛି। ଆଜି ମୃତକଙ୍କ ପରିବାର ଲୋକେ କର୍ଣ୍ଣାଟକରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଶବ ବ୍ୟବଛେଦ ପ୍ରକ୍ରିୟା ଶେଷ କରାଯିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଦିବ୍ୟା ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ତାହା ଏବେ ବଡ଼ ପ୍ରଶ୍ନ। ପୁରୁଷ ବନ୍ଧୁଙ୍କ ସହ କୌଣସି ବିବାଦ ନା ଆଉ କିଛି କାରଣ ପାଇଁ ଜୀବନ ହାରିଲେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।
