ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଏବେ ନିଜ ଦଳ ଭିତରେ ହିଁ ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର। ମାର୍ଚେଣ୍ଟ ନେଭିର ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସମର୍ଥନ କରି ସେ ଦେଇଥିବା ବୟାନକୁ ନେଇ କଂଗ୍ରେସ ହାଇକମାଣ୍ଡ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳୀୟ ଆଭିମୁଖ୍ୟର ବିରୋଧାଚରଣ କରୁଥିବାରୁ କେରଳର ଥିରୁଅନନ୍ତପୁରମ ସାଂସଦ ଶଶି ଥରୁରଙ୍କୁ କଂଗ୍ରେସ ନେତୃତ୍ୱ ଶେଷ ସୁଯୋଗ ଦେବା ସହ କଡ଼ା ଚେତାବନୀ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଭାରତୀୟ ସାମୁଦ୍ରିକ ନାବିକମାନଙ୍କ ମୃତ୍ୟୁ ଏବଂ ସେମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଗତ ଜୁନ୍ ୧୮ ତାରିଖରେ ଏହି ପ୍ରସଙ୍ଗରେ ମତ ରଖି ଶଶି ଥରୁର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କ ସାମ୍ନାରେ ଭାରତର ପକ୍ଷକୁ ଅତି ସ୍ପଷ୍ଟ ଭାବେ ଉପସ୍ଥାପନ କରିଛନ୍ତି। ଯୁଦ୍ଧ ସମୟରେ ସାଧାରଣ ନାଗରିକ କିମ୍ବା କମର୍ସିଆଲ ଜାହାଜରେ କାର୍ଯ୍ୟରତ ନାବିକମାନଙ୍କୁ ଟାର୍ଗେଟ କରାଯିବା ଅନୁଚିତ। ସେମାନେ କୌଣସି ସେନାରେ ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ ଠିକ୍ କରିଛନ୍ତି ବୋଲି ଥରୁର କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ଥରୁର ସମର୍ଥନ କରିବା ପରେ କଂଗ୍ରେସ ଶିବିରରେ ଚାପା ଉତ୍ତେଜନା ଦେଖାଦେଇଛି। ଦଳର ଆଭିମୁଖ୍ୟ ବାହାରକୁ ଯାଇ ସର୍ବସାଧାରଣରେ ବୟାନ ଦେବାକୁ କଂଗ୍ରେସ ନେତୃତ୍ୱ ସହଜରେ ଗ୍ରହଣ କରିପାରିନାହାନ୍ତି। ସୂତ୍ର ଅନୁସାରେ, ଏ ସମ୍ପର୍କରେ ଥରୁରଙ୍କୁ ନିଜ ପକ୍ଷ ରଖିବାକୁ କୁହାଯାଇଛି। କେରଳର ବଦଳୁଥିବା ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ଦଳ ବର୍ତ୍ତମାନ ତାଙ୍କୁ କେବଳ ସୁଧାରିବାକୁ ଏକ ସୁଯୋଗ ଦେଇଛି। କିନ୍ତୁ ଆଗକୁ ଯଦି ସେ ଏଭଳି ବୟାନବାଜି ଜାରି ରଖନ୍ତି, ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ସଙ୍କେତ ମିଳିଛି।
ଥରୁରଙ୍କ ଏହି ବୟାନକୁ ନେଇ କଂଗ୍ରେସର ବରିଷ୍ଠ ମୁଖପାତ୍ର ପବନ ଖେଡ଼ା କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ମୋର ବରିଷ୍ଠ ସହଯୋଗୀ ଶଶି ଥରୁର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିବା ପାଇଁ ଯେକୌଣସି ସୀମାକୁ ଯାଇପାରନ୍ତି। ହୋଇପାରେ ଏବେ ତାଙ୍କୁ ଏମିତି କିଛି କଥା ମଧ୍ୟ ଶୁଭୁଛି, ଯାହା ମୋଦି କେବେ କହିନାହାନ୍ତି।”
ବର୍ତ୍ତମାନ ସୁଦ୍ଧା ଏହି ବିବାଦକୁ ନେଇ କଂଗ୍ରେସ ହାଇକମାଣ୍ଡ କିମ୍ବା ସାଂସଦ ଶଶି ଥରୁରଙ୍କ ପକ୍ଷରୁ କୌଣସି ଆଧିକାରୀକ ସ୍ପଷ୍ଟୀକରଣ କିମ୍ବା ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। କିନ୍ତୁ ଦଳ ଭିତରେ ଭିତରେ ଥରୁରଙ୍କ ବିରୋଧରେ ଅସନ୍ତୋଷର ନିଆଁ କେତେ ତୀବ୍ର, ତାହା ଦଳୀୟ ପ୍ରବକ୍ତାଙ୍କ ବୟାନରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।
