Latest Odisha News

BREAKING NEWS

Gajapati Divas: ୫୯୧ ବର୍ଷ ପରେ ବି ଅମର ଗଜପତି କପିଳେନ୍ଦ୍ର ଦେବଙ୍କ ଗୌରବ, ଜୁନ୍ ୨୯ରେ ପାଳନ ହେବ ‘ଗଜପତି ଦିବସ @ ୫୯୧’

ଭୁବନେଶ୍ବର: କାଶୀଠାରୁ ରାମେଶ୍ୱରମ ପର୍ଯ୍ୟନ୍ତ ବିସ୍ତାର ହୋଇଥିଲା ଗଜପତି କପିଳେନ୍ଦ୍ର ଦେବଙ୍କ ସାମ୍ରାଜ୍ୟ। ଯୁଦ୍ଧରେ ଅପରାଜେୟ, ଶାସନରେ ଦୂରଦର୍ଶୀ ଓ ମହାପ୍ରଭୁ ଜଗନ୍ନାଥଙ୍କ ଥିଲେ ପରମ ଭକ୍ତ । ସେ ଆଜି ବି ଓଡିଆଙ୍କ ପ୍ରାଣରେ ଏବଂ ମୁଖରେ ଜୀବିତ । ତାଙ୍କ ୫୯୧ତମ ରାଜ୍ୟାଭିଷେକ ଦିବସକୁ ଭବ୍ୟ ଭାବେ ପାଳନ କରିବାକୁ ଯାଉଛି ଓଡ଼ିଶା। ଏଥିପାଇଁ ଜୁନ୍ ୨୯ରେ ଭୁବନେଶ୍ୱରରେ ଆୟୋଜନ ହେବ ‘ଗଜପତି ଦିବସ @ ୫୯୧’।

୧୪୩୫ ମସିହା ଜୁନ୍ ୨୯ରେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ହୋଇଥିଲା। ସେହି ଐତିହାସିକ ଦିନକୁ ସ୍ମରଣ କରି ଚଳିତ ବର୍ଷ ପାଳନ ହେବ ‘ଗଜପତି ଦିବସ @ ୫୯୧’। ବିୟଣ୍ଡ ହେରିଟେଜ୍ ଟ୍ରଷ୍ଟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଜୁନ୍ ୨୯ ସକାଳ ୧୦ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍.କେ.ସି.ଜି. ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏଥିସହ ବିଶିଷ୍ଟ ଇତିହାସବିଦ୍, ଶିକ୍ଷାବିତ୍, ସାଂସଦ, ପ୍ରତ୍ନତତ୍ତ୍ୱବିତ୍ ଓ କଳାଜଗତର ବହୁ ବିଶିଷ୍ଟ ବ୍ୟକ୍ତିଗଣ ଏଥିରେ ସାମିଲ ହେବେ।

ଏହି ଅବସରରେ ‘ସମର, ସମ୍ରାଟ ଓ ସନାତନ : ଗଜପତି କପିଳେନ୍ଦ୍ର ଦେବ’ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଉଦ୍ଘାଟନ କରାଯିବ। ମାନଚିତ୍ର, ଶିଳାଲିପି ଓ ଐତିହାସିକ ପ୍ରତିକୃତି ମାଧ୍ୟମରେ ଗଜପତିଙ୍କ ସାମ୍ରାଜ୍ୟ ବିସ୍ତାର ଓ ବୀରଗାଥାକୁ ଉପସ୍ଥାପନ କରାଯିବ। ସେହିପରି ଗଜପତି କପିଳେନ୍ଦ୍ର ଦେବଙ୍କ ଜୀବନୀ ଉପରେ ନିର୍ମିତ ଆନିମେଟେଡ୍ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ‘ଲକ୍ଷେ ରାଜାର ମଉଡ଼ମଣି : ଗଜପତିଙ୍କ ଗୌରବମୟ ଗାଥା’ର ଲୋକାର୍ପଣ ମଧ୍ୟ କରାଯିବ।

କେବଳ ଉତ୍ସବ ନୁହେଁ, ଓଡ଼ିଶାର ଗୌରବମୟ ଇତିହାସକୁ ନୂଆ ପିଢ଼ି ଓ ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁଇଟି ସ୍ୱତନ୍ତ୍ର ଆଲୋଚନା ମଧ୍ୟ ଆୟୋଜନ ହେବ। ଏଥିରେ ଇତିହାସ, ଶିକ୍ଷା, ଗବେଷଣା ଓ ସଂସ୍କୃତିକୁ ନେଇ ବିଶିଷ୍ଟ ବକ୍ତାମାନେ ମତ ରଖିବେ। ଆୟୋଜକଙ୍କ କହିବା ଅନୁସାରେ, ଏହା କେବଳ ଗୋଟିଏ ବର୍ଷର କାର୍ଯ୍ୟକ୍ରମ ନୁହେଁ। ଭବିଷ୍ୟତରେ ପ୍ରତିବର୍ଷ ‘ଗଜପତି ଦିବସ’ ପାଳନ ସହ ଓଡ଼ିଆ ଇତିହାସ ଓ ଶିଳାଲିପି ଗବେଷଣା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏକ ସ୍ୱତନ୍ତ୍ର ଗବେଷଣା ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।

Leave A Reply

Your email address will not be published.