Latest Odisha News

BREAKING NEWS

ଖେଳ ପଡ଼ିଆରୁ ସନ୍ତ୍ରାସବାଦର ଗୁପ୍ତ ସୁଡ଼ଙ୍ଗ; ପୂର୍ବତନ ଖେଳାଳିଙ୍କ ଭାଇଙ୍କ ମୃତ୍ୟୁ ପରେ ଖୋଲିଲା ବଡ଼ ସାଙ୍ଘାତିକ ସତ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପେଶ ବୋଲର ତଥା କ୍ରିକେଟ ତାରକା ସୋଏବ ଅଖତରଙ୍କ ପରିବାରକୁ ନେଇ ସୃଷ୍ଟି ହୋଇଥିବା ଏକ ସମ୍ବେଦନଶୀଳ ଘଟଣା ଏବେ ସୀମାପାର ରାଜନୀତି ଓ ପ୍ରତିରକ୍ଷା ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

 

ନିକଟରେ ସୋଏବ ଅଖତରଙ୍କ ଭାଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଥିବା ବେଳେ, ଏହି ଜନାଜାରେ କେତେକ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ଉପସ୍ଥିତି ଏବଂ ସେମାନଙ୍କ ସହ ସୋଏବଙ୍କ ପରିବାରର ସମ୍ପର୍କକୁ ନେଇ ଅନ୍ତର୍ଜାତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ବଡ଼ ଧରଣର ସୂଚନା ହାସଲ କରିଛନ୍ତି। କଶ୍ମୀରର ପହଲଗାମରେ ଭାରତୀୟ ସୁରକ୍ଷାବଳ ଓ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ରକ୍ତାକ୍ତ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସହ ଏହି ପରିବାରର କ୍ରିୟାକଳାପ ଯୋଡ଼ି ହେଉଥିବା ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି।

 

ଗୋଇନ୍ଦା ରିପୋର୍ଟ ମୁତାବକ, ନିକଟରେ ଜାମ୍ମୁ-କାଶ୍ମୀରର ପହଲଗାମ ଅଞ୍ଚଳରେ ଏକ ଭୟାବହ ସନ୍ତ୍ରାସବାଦୀ ଆକ୍ରମଣ ସଂଘଟିତ ହୋଇଥିଲା, ଯେଉଁଥିରେ ପ୍ରତିବନ୍ଧିତ ସଂଗଠନ ‘ଲସ୍କର-ଇ-ତୋଇବା’ (LeT) ର ସମ୍ପୃକ୍ତି ରହିଥିଲା। ଏହି ନାରକୀୟ କାଣ୍ଡର ମୁଖ୍ୟ ସୂତ୍ରଧର ତଥା ଲସ୍କରର ଆଗଧାଡ଼ିର କମାଣ୍ଡର ସୈଫୁଲ୍ଲା କାସୁରୀ ସହ ସୋଏବଙ୍କ ଭାଇଙ୍କ ଗଭୀର ଯୋଗାଯୋଗ ଥିବା ସନ୍ଦେହ କରାଯାଉଛି। ସୋଏବଙ୍କ ଭାଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ଆୟୋଜିତ ଶୋକସଭା ଓ ଜନାଜାରେ କାସୁରୀର ନିକଟତମ ସହଯୋଗୀ ତଥା ଅନ୍ୟ କେତେକ ସକ୍ରିୟ ଜିହାଦୀଙ୍କୁ ଗୁପ୍ତଭାବେ ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ଏବଂ ବୈଷୟିକ ପ୍ରମାଣ ଭାରତୀୟ ଏବଂ ପାଶ୍ଚାତ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର ହସ୍ତଗତ ହେବା ପରେ ଏକ ବଡ଼ ଆତଙ୍କୀ ନେଟୱର୍କର ପର୍ଦ୍ଦାଫାଶ ହୋଇଛି।

 

କ୍ରିକେଟ ଦୁନିଆରେ ‘ରାୱଲପିଣ୍ଡି ଏକ୍ସପ୍ରେସ’ ଭାବେ ବେଶ୍ ଜଣାଶୁଣା ସୋଏବ ଅଖତର ସର୍ବଦା ନିଜର ଆକ୍ରମଣାତ୍ମକ ବୋଲିଂ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ମାତ୍ର ତାଙ୍କ ନିଜ ପରିବାରର ଜଣେ ସଦସ୍ୟଙ୍କ ଜନାଜାରେ ଭାରତ ବିରୋଧୀ ବିଷୋଦଗାର କରୁଥିବା ଆତଙ୍କବାଦୀଙ୍କ ଭିଡ଼ ଜମିବା ଏବଂ କାଶ୍ମୀର ହିଂସା ସହ ଏହାର ତାର ଯୋଡ଼ିହେବା ସୋଏବଙ୍କୁ ମଧ୍ୟ ବଡ଼ ଅଡ଼ୁଆରେ ପକାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ଓ ସେଠାକାର ଗୋଇନ୍ଦା ସଂସ୍ଥା ଆଇଏସଆଇ କେମିତି ଜଣେ ନାମୀ କ୍ରିକେଟରଙ୍କ ଆଢ଼ୁଆଳରେ ଆତଙ୍କବାଦୀଙ୍କୁ ସୁରକ୍ଷା ଓ ପ୍ରଶ୍ରୟ ଦେଉଛନ୍ତି, ତାହା ପୁଣି ଥରେ ବିଶ୍ୱ ଦରବାରରେ ପ୍ରମାଣିତ ହୋଇଛି।

 

ସୂଚନାଯୋଗ୍ୟ ଯେ, ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସୀମାନ୍ତ ଅଞ୍ଚଳରେ ନିଜର କମ୍ବିଂ ଅପରେସନକୁ ବ୍ୟାପକ କରିଥିବା ବେଳେ ଏହି ନୂତନ ଗୋଇନ୍ଦା ସୂଚନା ତଦନ୍ତର ଦିଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସୋଏବଙ୍କ ପରିବାରର ଆର୍ଥିକ କାରବାର ଏବଂ ସେମାନଙ୍କ ବାସଭବନକୁ ଆତଙ୍କବାଦୀମାନେ କୌଣସି ଗୁପ୍ତ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ କି ନାହିଁ, ସେ ନେଇ ଆନ୍ତର୍ଜାତୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ ଗଭୀର ଅନୁସନ୍ଧାନ ଚଳାଇଛନ୍ତି। ଏହି ମାମଲାରେ ସୋଏବ ଅଖତରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ସ୍ପଷ୍ଟୀକରଣ ମିଳିନଥିବା ବେଳେ ଆଗାମୀ ଦିନରେ ଏହି ବିସ୍ଫୋରକ ରହସ୍ୟରୁ ଆହୁରି ଅନେକ ସାଙ୍ଘାତିକ ସତ୍ୟ ପଦାକୁ ଆସିବ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.