Latest Odisha News

BREAKING NEWS

Women Safety: ଅଭିନେତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର! ‘କେଉଁଠି ଅଛି ମହିଳା ସୁରକ୍ଷା?’ ପ୍ରଶ୍ନ କରି, ବଖାଣିଲେ ବେଦନା…

ବେଙ୍ଗାଲୁରୁ: ରାତିରେ ମହିଳାମାନେ କେତେ ସୁରକ୍ଷିତ? ଦେଶର ଆଇଟି ସିଟି ବେଙ୍ଗାଲୁରୁରୁ ଆସିଥିବା ଏକ ଘଟଣା ପୁଣି ଥରେ ଏହି ପ୍ରଶ୍ନକୁ ସାମ୍ନାକୁ ଆଣିଛି।

ବିଗ୍ ବସ୍ କନ୍ନଡ଼ ଫେମ୍ ଅଭିନେତ୍ରୀ ଦିବ୍ୟା ସୁରେଶ ସୋସିଆଲ ମିଡିଆରେ ଏକ ଚିନ୍ତାଜନକ ଘଟଣା ସେୟାର କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ରବିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ସେ ନିଜ ସମ୍ପର୍କୀୟଙ୍କ ସହ କାର୍ ଆଡ଼କୁ ଯାଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପିଛା କରିବା ସହ ସର୍ବସମ୍ମୁଖରେ ଅଶ୍ଳୀଳ ଆଚରଣ କରିଥିଲେ।

ଦିବ୍ୟା କହିଛନ୍ତି, ସେ ପ୍ରତିବାଦ କରିବା ସତ୍ତ୍ୱେ ସେହି ବ୍ୟକ୍ତି ଅଟକିନଥିଲା, ବରଂ ସେ କାରରେ ବସିବା ପର୍ଯ୍ୟନ୍ତ ପିଛା କରିଥିଲା। ଏହି ଘଟଣାର ଭିଡିଓକୁ ସେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ତାଙ୍କ ସମ୍ପର୍କୀୟ ପୋଲିସଙ୍କୁ ଫୋନ୍ କରିବାକୁ କହୁଥିବା ମଧ୍ୟ ଶୁଣିବାକୁ ମିଳିଛି।

ଯାହାର ସମ୍ପୂର୍ଣ୍ଣ ଘଟଣା ବଖାଣି, ବେଙ୍ଗାଲୁରୁ ପୋଲିସକୁ ଟ୍ୟାଗ୍ କରି ଦିବ୍ୟା ପ୍ରଶ୍ନ କରିଛନ୍ତି, “ମହିଳାଙ୍କୁ ଯେଉଁ ସୁରକ୍ଷାର ପ୍ରତିଶ୍ରୁତି ଦିଆଯାଏ, ତାହା କେଉଁଠି?” କେବଳ ରାତିରେ ବାହାରକୁ ବାହାରିଥିବାରୁ କୌଣସି ମହିଳାଙ୍କୁ ଉତ୍ପୀଡ଼ନର ଶିକାର ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଯାହା ପୁଣି ଥରେ ଦେଶରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛି ।

୨୦୧୭ରେ ମିସ୍ ଇଣ୍ଡିଆ ସାଉଥ୍ ଟାଇଟଲ୍ ଜିତିଥିବା ଦିବ୍ୟା ସୁରେଶ ବିଗ୍ ବସ୍ କନ୍ନଡ଼ ସିଜନ୍-୮ ପରେ ବେଶ୍ ପରିଚିତ ହୋଇଥିଲେ। ତେବେ କହିରଖୁଛୁ, ଗତ ବର୍ଷ ଅକ୍ଟୋବରରେ ବେଙ୍ଗାଲୁରୁର ଏକ ହିଟ୍-ଆଣ୍ଡ-ରନ୍ ମାମଲାରେ ମଧ୍ୟ ଦିବ୍ୟାଙ୍କ ନାମ ସାମ୍ନାକୁ ଆସିଥିଲା। ସେହି ମାମଲାର ତଦନ୍ତ ଚାଲିଛି। କିନ୍ତୁ ବର୍ତ୍ତମାନର ଏହି ଘଟଣା ପୁଣି ଥରେ ବେଙ୍ଗାଲୁରୁ ସହରରେ ମହିଳାଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.