ଭୁବନେଶ୍ୱର: ଗୁଳୁଗୁଳି ଓ ଗରମରୁ ଓଡ଼ିଶାବାସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିବା ପରେ ଏବେ ଏହା ପୁଣି ସକ୍ରିୟ ହେବାକୁ ଯାଉଛି। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ମୌସୁମୀ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପର ରୂପ ନେବ। କିଛି ପାଣିପାଗ ମଡେଲ୍ ସଂକେତ ଦେଇଛନ୍ତି ଯେ, ଏହି ପ୍ରସ୍ତାବିତ ଲଘୁଚାପ ଆହୁରି ଶକ୍ତିଶାଳୀ ହୋଇ ଜୁଲାଇ ୩ ଓ ୪ ତାରିଖ ଆଡ଼କୁ ଅବପାତ କିମ୍ବା ଗଭୀର ଅବପାତର ରୂପ ମଧ୍ୟ ନେଇପାରେ, ଯାହାଫଳରେ ରାଜ୍ୟରେ ବର୍ଷାର ପ୍ରକୋପ ବହୁଳ ଭାବେ ବଢ଼ିଯିବ।
ଲଘୁଚାପର ପ୍ରଭାବକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି:
ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଏବଂ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଠାରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।
ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଏବଂ ନୂଆପଡ଼ା ସମେତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ରୁ ଅଧିକ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖାଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଚଳିତ ଜୁଲାଇ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ବର୍ଷାର ପରିମାଣ ଭଲ ରହିବ। ଲଘୁଚାପ ଯୋଗୁଁ ପ୍ରଥମେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ ଏବଂ ପରେ ଏହା କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାକୁ ସମ୍ପ୍ରସାରିତ ହେବ। ପଶ୍ଚିମ ଓଡ଼ିଶାରେ ଚାଷ କାର୍ଯ୍ୟ ପାଇଁ ଅନୁକୂଳ ବର୍ଷା ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହେବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ପ୍ରଶାସନ ତରଫରୁ ସତର୍କ କରାଇ ଦିଆଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଓ ତଳିଆ ଅଞ୍ଚଳରେ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
