ଭୁବନେଶ୍ୱର: ବହି ତ୍ରୁଟିକୁ ନେଇ ବଡ଼ ଘୋଷଣା। ନୂଆ ବହି ଦେବେ ସରକାର। ପିଲା ସଂଶୋଧିତ ପୁସ୍ତକରେ ପାଠ ପଢିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ ତିରୁମାଲା ନାଏକ ସୂଚନା ଦେଇଛନ୍ତି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବଣ୍ଟାଯାଇଥିବା ନୂଆ ପାଠ୍ୟବହିରେ ବ୍ୟାପକ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିଗୁଡ଼ିକରେ ରହିଥିବା ସମସ୍ତ ପ୍ରକାରର ତ୍ରୁଟିକୁ ସମ୍ପୂର୍ଣ୍ଣ ସଂଶୋଧନ କରାଯାଇ ପୁନର୍ବାର ସଂଶୋଧିତ ପାଠ୍ୟବହି ଜାରି କରାଯିବ। ପିଲାମାନଙ୍କ ଭବିଷ୍ୟତ ଏବଂ ଶିକ୍ଷାଗତ ମାନସିକତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଏନ ତିରୁମାଲା କହିଛନ୍ତି ଯେ, ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ପାଇଁ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ମତାମତ ନିଆଯିବ। ଗଣଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ କରାଯିବ। ସମ୍ପୂର୍ଣ୍ଣ ସଂଶୋଧନ ପରେ ସରକାର ନୂଆ ବହି ଯୋଗାଇ ଦେବେ। ଯଥାଶୀଘ୍ର ନୂଆ ବହି ଯୋଗାଇଦେବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ପୁରୁଣା କମିଟି ସହ ନୂଆ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି। ବିଶେଷଜ୍ଞ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି।
ଗଣଶିକ୍ଷା ସଚିବ କହିଛନ୍ତି ଯେ, ତ୍ରୁଟିର ଏବେ ତର୍ଜମା ଚାଲିଛି। ନୂଆ ବହି ଆସିବା ପର୍ଯ୍ୟନ୍ତ SCERT ପକ୍ଷରୁ ଓସେପା ଜରିଆରେ ଡିଇଓମାନଙ୍କୁ ଦିଆଯାଇଥିବା ସଂଶୋଧିତ ତକୁ ନେଇ ପାଠ ପଢାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ସମସ୍ତଙ୍କ ଅବଗତି ପାଇଁ ବହି ଉପଲବ୍ଧ ହେବ। SCERT ଟିମ୍, ସମ୍ପାଦନା ମଣ୍ଡଳୀ ଓ ଶିକ୍ଷାବିତ ତ୍ରୁଟି ଉପରେ ତର୍ଜମା କରୁଛନ୍ତି। ବାସ୍ତବରେ ଯେତିକି ତ୍ରୁଟି ଉପରେ ଚର୍ଚ୍ଚା ଆଲୋଚନା ହେଉଛି ସେତିକି ତ୍ରୁଟି ନାହିଁ। କିଛି ଶବ୍ଦ, ବନାନକୁ ନେଇ ଭିନ୍ନ ଭିନ୍ନ ଦ୍ଵନ୍ଦ ରହିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା ହେଉଛି। ଯେତେ ଶୀଘ୍ର ସମ୍ଭବ ଆମେ ପିଲାଙ୍କୁ ବହି ଯୋଗାଇ ଦେବାକୁ କାମ କରୁଛୁ।
ସୂଚନାଯୋଗ୍ୟ ଯେ, ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ପାଠ୍ୟବହିଗୁଡ଼ିକରେ ହଜାର ହଜାର ଭୁଲ୍ ରହିଥିବା ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ। ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଗଠିତ ଏହି ଉଚ୍ଚସ୍ତରୀୟ କମିଟି ଏବେ SCERT (ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ) କାର୍ଯ୍ୟାଳୟରେ ଛାନଭିନ୍ ଜାରି ରଖିଛି।
ନୂଆ ଶିକ୍ଷାବର୍ଷ ମଧ୍ୟଭାଗରେ ପିଲାମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ତ୍ରୁଟିଶୂନ୍ୟ ବହି ଛାପିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ OSEPA ଏବଂ ପାଠ୍ୟବହି ପ୍ରସ୍ତୁତି ବ୍ୟୁରୋର କାର୍ଯ୍ୟଶୈଳୀକୁ ଅଧିକ ସ୍ୱଚ୍ଛ ଓ ଡିଜିଟାଲ୍ କରାଯିବ। ବହିଗୁଡ଼ିକ ବଜାରକୁ ଆସିବା ପୂର୍ବରୁ ଏକାଧିକ ବିଶେଷଜ୍ଞ କମିଟି ଦ୍ୱାରା ଯାଞ୍ଚ କରାଯିବାର ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି।
