Aamir Khan Reaction: ‘ଲଭ୍ ଜିହାଦ’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଆମିର ଖାନ, କହିଲେ, ‘ ଆହୁରି ହାସ୍ୟାସ୍ପଦ ହେଉଛି ଜୀବନ’
ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌରୀ ସ୍ପ୍ରାଟଙ୍କ ବିବାହକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଜୋର ଧରିଛି। ବିବାହ ପରେ ତାଙ୍କ ବିରୋଧରେ ‘ଲଭ୍ ଜିହାଦ’ ଅଭିଯୋଗ ହେବା ସହ ଜଣେ ମୁସଲିମ ଧର୍ମଗୁରୁ ତାଙ୍କ ବିରୋଧରେ ଫତୱା ମଧ୍ୟ ଜାରି କରିଛନ୍ତି। ଏହାକୁ ନେଇ ପ୍ରଥମଥର ପାଇଁ ଆମିର ଖୋଲାଖୋଲି ପ୍ରତିକ୍ରିୟା ଦେଇଛନ୍ତି।
ଫତୱା ଓ ‘ଲଭ୍ ଜିହାଦ’ ଅଭିଯୋଗ ମଧ୍ୟରେ ଆମିର ଖାନ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପରିବାର ସବୁବେଳେ ଧର୍ମନିରପେକ୍ଷ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଆସିଛି ଏବଂ କୌଣସି ବିବାହରେ ଧର୍ମ ପରିବର୍ତ୍ତନ କରାଯାଇନାହିଁ। ସେ କହିଛନ୍ତି, ଏପରି ବିବାଦକୁ ନେଇ ଯେପରି ପ୍ରତିକ୍ରିୟା ଆସୁଛି, ତାହା ତାଙ୍କ ପାଇଁ “ଜୀବନକୁ ଆହୁରି ହାସ୍ୟାସ୍ପଦ” କରିଦେଇଛି।
ଏହି ସମସ୍ତ ଅଭିଯୋଗର ଜବାବ ଦେଇ ରେଡିଫ୍କୁ ଦେଇଥିବା ସାକ୍ଷାତକାରରେ ଆମିର କହିଛନ୍ତି, “ଆମ ପରିବାର ସବୁବେଳେ ସମସ୍ତ ଧର୍ମକୁ ସମ୍ମାନ ଦେଇଆସିଛି। ମୋର ଦୁଇ ଭଉଣୀ ହିନ୍ଦୁଙ୍କୁ ବିବାହ କରିଛନ୍ତି। ମୋ ଝିଅ ମଧ୍ୟ ଜଣେ ହିନ୍ଦୁଙ୍କୁ ବିବାହ କରିଛି। ମୋର ସମ୍ପର୍କୀୟ ଭାଇ ମନସୁର ଜଣେ ଖ୍ରୀଷ୍ଟିଆନ୍ ମହିଳାଙ୍କୁ ବିବାହ କରିଛନ୍ତି।” ଏଥିସହିତ ଆମିର ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ତିନୋଟି ବିବାହ ହିଁ ସିଭିଲ୍ ମ୍ୟାରେଜ୍ ଥିଲା। “ନା ଗୌରୀ, ନା କିରଣ, ନା ରିନା…କେହି ବି ଇସଲାମ ଧର୍ମ ଗ୍ରହଣ କରିନାହାନ୍ତି। କାରଣ ଆମେ ସମସ୍ତେ ସିଭିଲ୍ ମ୍ୟାରେଜ୍ କରିଛୁ।”
ଆମିର ଆଉ ଏକ ବଡ଼ ଖୁଲାସା କରି କହିଛନ୍ତି, “ଅନେକ ଭାବୁଛନ୍ତି ଗୌରୀ ଜଣେ ହିନ୍ଦୁ। କିନ୍ତୁ ସେ ହିନ୍ଦୁ ନୁହଁନ୍ତି, ସେ ଜଣେ ଖ୍ରୀଷ୍ଟିଆନ୍। ଏପରିକି ସେ ନିୟମିତ ଭାବେ ଧାର୍ମିକ ଆଚାର ମଧ୍ୟ ପାଳନ କରନ୍ତି ନାହିଁ।”
ତେବେ ଗତ ଜୁଲାଇ ୫ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ପାଲି ହିଲ୍ ବାସଭବନରେ ଆମିର ଓ ଗୌରୀଙ୍କ ବିବାହ ଅତ୍ୟନ୍ତ ସରଳ ଓ ବ୍ୟକ୍ତିଗତ ଭାବେ ସମ୍ପନ୍ନ ହୋଇଥିଲା। ବିବାହ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ହୋଇଥିଲା। ଏହି ବିବାହରେ ପ୍ରାୟ ୧୫୦ ଜଣ ଅତିଥି ଯୋଗ ଦେଇଥିଲେ। ଆମିରଙ୍କ ସନ୍ତାନ ଜୁନୈଦ୍, ଇରା, ଆଜାଦ୍ ଏବଂ ଗୌରୀଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। ଯାହା ଆମିରଙ୍କ ତୃତୀୟ ବିବାହ ଥିଲା ।
ହେଲେ ବିବାହ ପରେ ବିବାଦ ଆରମ୍ଭ ହୋଇଥିଲା । ବିବାହ ପରେ ମହାରାଷ୍ଟ୍ରର ବିଜେପି ମନ୍ତ୍ରୀ ନୀତେଶ ରାଣେ ଏହାକୁ ‘ଲଭ୍ ଜିହାଦ’ର ଉଦାହରଣ ବୋଲି କହିଥିଲେ। ସେ କହିଥିଲେ ଯେ ଏପରି ଘଟଣାକୁ ନେଇ ହିନ୍ଦୁ ସମାଜ ଚିନ୍ତା କରିବା ଦରକାର।
ଅନ୍ୟପଟେ ମୁସଲିମ ପର୍ସନାଲ୍ ଦାରୁଲ୍ ଇଫ୍ତାର ଶାହୀ ମୁଖ୍ୟ ମୁଫ୍ତି ମୌଲାନା ଇବ୍ରାହିମ ହୁସେନ୍ ଆମିରଙ୍କ ବିରୋଧରେ ଫତୱା ଜାରି କରିଛନ୍ତି। ତାଙ୍କ ମତରେ, ଶରିଆ ଆଇନ ଅନୁଯାୟୀ ଜଣେ ମୁସଲିମ ପୁରୁଷ ଜଣେ ଅଣ-ମୁସଲିମ ମହିଳାଙ୍କୁ ବିବାହ କରିପାରିବେ ନାହିଁ। ବିବାହ ପୂର୍ବରୁ ସମ୍ପୃକ୍ତ ମହିଳାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପଡ଼ିବ। ଗୌରୀ ଧର୍ମ ପରିବର୍ତ୍ତନ କରିନଥିବାରୁ ଏହି ବିବାହକୁ ସେ ଅନୁମୋଦନଯୋଗ୍ୟ ନୁହେଁ ବୋଲି ସେ ମତ ରଖିଥିଲେ ।