ପୁରୀ: ରାତି ପାହିଲେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୂର୍ଯ୍ୟ ଉଦୟକୁ ଅପେକ୍ଷା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପୁରୀରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୁପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାରେ ଗାଡ଼ି ରହଣି ସ୍ଥଳ ବା ପାର୍କିଂ ପ୍ଲେସର ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ଭିଡ଼କୁ ଇଣ୍ଟିଗ୍ରେଟେଡ କଣ୍ଟୋଲ୍ ରୁମ୍ (ଆଇସିଆର୍) ଜରିଆରେ ପରିଚାଳନା କରାଯିବ।
ଦୁଇ ଚକିଆଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ଏବଂ ସାଧାରଣ ଭକ୍ତଙ୍କ ଠାରୁ ଆରମ୍ଭ କରି ଭିଆଇପିଙ୍କ ଗାଡ଼ି କେଉଁଠି ରହିବ ସେଥିପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି । ପୁରୀ ଜିଲ୍ଲାପାଳଙ୍କ ଟ୍ରାଫିକ୍ ସୁପରିଚାଳନା ପାଇଁ ପୁରୀ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ବା ଗାଡ଼ି ଚଳାଚଳ ନିଷେଧ କରାଯାଇଛି। ୧୬ ଜୁଲାଇ ମଧ୍ୟରାତ୍ର ୧୨ଟା ଠାରୁ ୧୭ ଜୁଲାଇ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ଝାଡ଼େଶ୍ୱରୀ ଛକରୁ ହସ୍ପିଟାଲ କ୍ରସ୍ ରୋଡ୍, ଜେଲ୍ ରୋଡରୁ ହସ୍ପିଟାଲ କ୍ରସିଂ ରୋଡ୍, ବୃଷଭ ଛକରୁ ଶ୍ରୀମନ୍ଦିର, ଷୋଳଖିଆ ବରଗଛ ଛକରୁ ଶ୍ରୀମନ୍ଦିର, ମୋଚିସାହି ଛକରୁ ଜଗନ୍ନାଥ ମନ୍ଦିର, ୟାତ୍ରିକା ପାର୍କିଂ ସ୍ଥାନରୁ ଦିଗବାରେଣୀ ଛକ ଯାଏଁ ଯାନବାହାନ ଚଳାଚଳ ବନ୍ଦ ରହିବ ।
ରଥଯାତ୍ରା ଭିଡ଼ରେ ଟ୍ରାଫିକ ପରିଚାଳନା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ସହୟତା ନିଆଯାଇଛି। ଏଥିସହ ଏକ ହ୍ୱାଟ୍ସ ଆପ୍ ଚାଟ୍ବଟ୍ ଖୋଲାଯାଇଛି। ଏଥିରେ ଏକ କ୍ୟୁଆର୍ ସ୍କାନର ରହିଛି। ଏହି ସ୍କାନରକୁ ବିଭିନ୍ନ ସ୍ଥାନରେ ଲଗାଯିବ। ଏହି ସ୍କାନରକୁ ଶ୍ରଦ୍ଧାଳୁମାନେ ମୋବାଇଲରେ ସ୍କାନ୍ କରିବା ଦ୍ୱାରା କେଉଁ ପାଶ୍ୱର୍ରେ ସୁବିଧାରେ ଯାଇ ସିଧାସଳଖ ପାର୍କିଂରେ ପହଞ୍ଚିବେ ସେ ସମ୍ପର୍କରେ ଅବଗତ ହୋଇପାରିବେ। କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ପୁଲିସ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି। ସେହିଭଳି ସହରରେ ଲାଗିଥିବା ବିଭିନ୍ନ ଏଲ୍ଇଡିରେ ମଧ୍ୟ ଟ୍ରାଫିକ କଟକଣା ସୂଚନା ଉପଲବ୍ଧ ହେବ।
ରଥଯାତ୍ରା ପାଇଁ ମୋଟ ୩୦ଟି ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଛି। ୪ ଚକିଆ ଯାନ ପାଇଁ ୨୨ଟି ପାର୍କିଂ,
୧୮ଟି ସାଧାରଣ ଏବଂ ୪ଟି ପାସ୍ ଧାରୀଙ୍କ ପାଇଁ ୪ ଚକିଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏକକାଳୀନ ୭,୭୩୦ ଗାଡ଼ି ରହିପାରିବା ଭଳି କ୍ଷମତା କରାଯାଇଛି। ସେହିପରି ୨ ଚକିଆ ଯାନ ପାଇଁ ୪ଟି ପାର୍କିଂ ସ୍ଥାନ ତଥା- ମାଟିତୋଟାରେ ୧ ଓ ୨, ପୁରୁଣା ଜଗନ୍ନାଥ ବଲ୍ଲଭ ମଠ, ବ୍ଲୁ-ଫ୍ଲାଗ୍ ନିଳାଚଳ ଅଶୋକ ଏପରି ମୋଟ ୧୫୦୦୦ ବାଇକ୍ ପାର୍କିଂ ବ୍ୟବସ୍ଥା କରାଯାଇଛି। ବସ୍ ପାର୍କିଂ ପାଇଁ ୪ଟି ସ୍ଥାନ ତଥା- ମାଳତୀପାଟପୁର, ତାଳବଣିଆ, ସ୍ୱାମୀ ନାରାୟଣ ମନ୍ଦିର ଓ ସମଙ୍ଗରେ ପାର୍କିଂ ବ୍ୟବସ୍ଥା ହୋଇଛି। ୭୫୦ଟି ବସ୍ ରହିବାର ବ୍ୟବସ୍ଥା ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ପାର୍କିଂ କ୍ଷମତା।