‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’: ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ପରିବେଶବିତ୍ ତଥା ଲଦାଖର ସ୍ୱର ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସୋନମ ୱାଙ୍ଗଚୁକଙ୍କ ଦୀର୍ଘ ୧୯ ଦିନର ଅନଶନ ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ଗମ୍ଭୀର ପରିସ୍ଥିତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା, ଯେଉଁଥିରେ କୋର୍ଟ ମାନବିକତା ଏବଂ ଜୀବନର ମୂଲ୍ୟକୁ ସର୍ବୋପରି ମାନ୍ୟତା ଦେଇଛନ୍ତି। କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ ଡାକ୍ତରମାନେ ପ୍ରତିଦିନ ଡାକ୍ତରୀ ପରୀକ୍ଷା କରନ୍ତୁ ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ। ଶୁଣାଣି ସମୟରେ, କେନ୍ଦ୍ର ସରକାର କହିଛନ୍ତି ଯେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିଦିନ ନଜର ରଖାଯାଉଛି।
ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, “ପ୍ରତ୍ୟେକ ମଣିଷର ଜୀବନ ଅତି ମୂଲ୍ୟବାନ ଏବଂ ଏହାକୁ ବଞ୍ଚାଇବା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ଗ୍ରହଣ କରାଯିବା ଉଚିତ।” ସରକାରୀ ଡାକ୍ତରଙ୍କ ଦ୍ୱାରା ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଡାକ୍ତରୀ ରିପୋର୍ଟ ଆଧାରରେ ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜେ, ତେବେ ତୁରନ୍ତ ହସ୍ତକ୍ଷେପ କରିବାକୁ କହିଛନ୍ତି।
କେନ୍ଦ୍ର ସରକାର କହିଛନ୍ତି ଯେ ତାଙ୍କର ଡାକ୍ତରୀ ରିପୋର୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ଅଂଶୀଦାର କରାଯାଇଛି। କେତେବେଳେ ସରକାରୀ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରୁଛନ୍ତି ତ କେତେବେଳେ ଘରୋଇ ଡାକ୍ତରମାନେ। ହାଇକୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମୂଲ୍ୟବାନ, ଏବଂ ଏହାକୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବା ସରକାରଙ୍କ ଦାୟିତ୍ୱ। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ ଡାକ୍ତରମାନେ ୱାଙ୍ଗଚୁକଙ୍କ ପ୍ରତିଦିନ କ୍ଲିନିକାଲ୍ ତଦାରଖ କରନ୍ତୁ, ଏବଂ ଯଦି ଡାକ୍ତରଙ୍କ ରିପୋର୍ଟ ଆଧାରରେ କୌଣସି ଚିକିତ୍ସା କିମ୍ବା ଚିକିତ୍ସା ହସ୍ତକ୍ଷେପ ଆବଶ୍ୟକ ହୁଏ, ତେବେ ସରକାର ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। କୋର୍ଟ ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ମତକୁ ମଧ୍ୟ ପ୍ରଶଂସା କରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଏହି ମାମଲାରେ ପୂର୍ବରୁ ହିଁ ନୋଟିସ୍ ଜାରି କରାଯାଇଛି। ସେ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ସରକାରୀ ଡାକ୍ତର ଏବଂ ବିଶେଷଜ୍ଞମାନେ କ୍ରମାଗତ ଭାବେ ନଜର ରଖିଛନ୍ତି। ପ୍ରତିଦିନ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ଏବଂ ତାଙ୍କ ସହ ଥିବା ସହଯୋଗୀଙ୍କୁ ସମସ୍ତ ରିପୋର୍ଟ ସମ୍ପର୍କରେ ଅବଗତ କରାଯାଉଛି ।
ସୋନମ ୱାଙ୍ଗଚୁକଙ୍କ ଅନଶନ କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଏହା ପ୍ରକୃତି ଏବଂ ଆଗାମୀ ପିଢ଼ି ପାଇଁ ଏକ ସଂଗ୍ରାମ। ତେବେ ଜଣେ କର୍ମୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଗଣତନ୍ତ୍ର ପାଇଁ ଚିନ୍ତାର ବିଷୟ। କୋର୍ଟ ଏହି କଥାକୁ ଗୁରୁତ୍ୱ ଦେଇଛନ୍ତି ଯେ, ଆନ୍ଦୋଳନ ସ୍ଥାନରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏକ ସ୍ଥାୟୀ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ରହିବା ଦରକାର। ସଲିସିଟର ଜେନେରାଲ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଜଣେ ନାଗରିକର ଜୀବନ ଅନମୋଲ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ସରକାର ସମସ୍ତ ସାହାଯ୍ୟ ଯୋଗାଇଦେବେ।
ସୂଚନାଯୋଗ୍ୟ ଯେ, NEET UG ପରୀକ୍ଷାରେ ଅନିୟମିତତା ଅଭିଯୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି କୋକ୍ରୋଚ୍ ଜନତା ଦଳ ୨୫ ଦିନରୁ ଅଧିକ ସମୟ ଧରି ପ୍ରତିବାଦ କରି ଆସୁଛି। ୱାଙ୍ଗଚୁକ୍ ଜୁନ୍ ୨୮ ତାରିଖରେ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ସେବେଠାରୁ ଅନଶନରେ ବସିଛନ୍ତି। ୧୯ ଦିନର ଭୋକ ଉପାସ ତାଙ୍କ ଶରୀରକୁ ଦୁର୍ବଳ କରିଦେଇଥାଇପାରେ, କିନ୍ତୁ ତାଙ୍କର ମନୋବଳ ଏବେ ମଧ୍ୟ ଦୃଢ଼ ରହିଛି। ହାଇକୋର୍ଟଙ୍କ ଏହି ହସ୍ତକ୍ଷେପ ପରେ ଏବେ ଉଭୟ ପ୍ରଶାସନ ଓ ସାଧାରଣ ଜନତା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଶାବାଦୀ ଅଛନ୍ତି।