Latest Odisha News

BREAKING NEWS

ବଲାଙ୍ଗୀରରେ ‘ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଠାରେ ଥିବା ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଏହାଦ୍ୱାରା ବଲାଙ୍ଗୀର ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆସିପାରିବ” ।

ସନ୍ଥକବି ଭୀମଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଭୀମଭୋଇ ସାରା ଜଗତକୁ ମାନବ ଧର୍ମର ବାର୍ତ୍ତା ଦେଇଥିଲେ । ଏଥିସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜ ତଥା ଲୋକଙ୍କର ସଶକ୍ତିକରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ” ।

ରାଜ୍ୟର ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ପ୍ରସାର ପାଇଁ ରାଜ୍ୟସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି । ୨୦୦୦ ମସିହାରେ ରାଜ୍ୟର ସମୁଦାୟ ଏମ.ବି.ବି.ଏସ୍ ଆସନ ସଂଖ୍ୟା ୩୨୧ ଥିବାବେଳେ, କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ପଣ୍ଡିତ ରଘୁନାଥ ମୁର୍ମୁ କଲେଜ ଓ ଭୀମଭୋଇ ମେଡିକାଲ କଲେଜର ଲୋକାର୍ପଣ ପରେ ଏହି ଆସନ ସଂଖ୍ୟା ୯୫୦କୁ ବୃଦ୍ଧି ପାଇଛି । ଆସନ୍ତା ମାସରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଲୋକାର୍ପିତ ହେବା ପରେ ରାଜ୍ୟରେ ଏମ.ବି.ବି.ଏସ୍ ଆସନ ସଂଖ୍ୟା ୧୦୫୦ ଟପିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


ଏହି ଅବସରରେ ନିଜ ବୃତ୍ତିର ଉଚ୍ଚ ଆର୍ଦଶକୁ ବଜାୟ ରଖି ଗରିବ ଲୋକମାନଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହିତ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ପରାର୍ମଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ରାଜ୍ୟବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିପାରିବ ।

ସୂଚନାଯୋଗ୍ୟ ଯେ ଭୀମଭୋଇ ମେଡିକାଲ କଲେଜ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୧୨୨ କୋଟି ଟଙ୍କା ଓ କେନ୍ଦ୍ର ସରକାର ୬୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ହସ୍ପିଟାଲ ନିର୍ମାଣ ପାଇଁ ୧୧୩ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ୮୩ କୋଟି ଓ କେନ୍ଦ୍ର ସରକାର ୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଅଧ୍ୟାପକ ଓ ଡାକ୍ତରଙ୍କ ଦରମା ଓ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ କଳିକେଶ ନାରାୟଣ ସିଂହ ଦେଓ, ବିରୋଧି ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.