Latest Odisha News

BREAKING NEWS

Bab el-Mandeb: ହର୍ମୁଜ୍ ପରେ ଏବେ ବାବ୍-ଏଲ୍-ମାଣ୍ଡେବ୍ ସଙ୍କଟ! ନିର୍ଭର କରେ ବିଶ୍ୱ ବାଣିଜ୍ୟର ୧୨%, ହୁତିଙ୍କ ନାକାବନ୍ଦୀ ଧମକ ପରେ ବଢିଲା ଚିନ୍ତା!

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଅଶାନ୍ତି ମଧ୍ୟରେ ବିଶ୍ୱ ବାଣିଜ୍ୟ ପାଇଁ ଆଉ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ହର୍ମୁଜ୍ ଜଳପଥ (Strait of Hormuz) ବନ୍ଦ ହେବା ପରେ ଯେଉଁ ବାବ୍-ଏଲ୍-ମାଣ୍ଡେବ୍ (Bab el-Mandeb) ଜଳପଥ ବିଶ୍ୱ ବାଣିଜ୍ୟର ନୂଆ ଆଶା ପାଲଟିଥିଲା, ଏବେ ସେହି ରାସ୍ତାକୁ ମଧ୍ୟ ୟେମେନର ହୁତି ବିଦ୍ରୋହୀମାନେ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏହା ସଫଳ ହେଲେ ବିଶ୍ୱ ତୈଳ ଯୋଗାଣ, ସାମୁଦ୍ରିକ ପରିବହନ ଓ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ।

ହୁତି ବିଦ୍ରୋହୀମାନଙ୍କ କହିବା ଅନୁସାରେ, ୟେମେନ ଉପରେ ସାଉଦି ଆରବର ନୌସେନା ନାକାବନ୍ଦୀ ଏବଂ ସାନା ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ସେମାନେ ସାଉଦି ସଂପୃକ୍ତ ଜାହାଜ ପାଇଁ ବାବ୍-ଏଲ୍-ମାଣ୍ଡେବ୍ ଜଳପଥ ବନ୍ଦ କରିଛନ୍ତି। ସେମାନଙ୍କ ଦାବି ଅନୁସାରେ, ମଙ୍ଗଳବାର ୬ଟି ଜାହାଜକୁ ରାସ୍ତା ବଦଳାଇବାକୁ ବାଧ୍ୟ କରାଯାଇଥିଲା। ତେବେ ଏହାର ସ୍ୱାଧୀନ ପୁଷ୍ଟି ହୋଇନାହିଁ।

କେଉଁଠି ବାବ୍-ଏଲ୍-ମାଣ୍ଡେବ୍ ଜଳପଥ ଏବଂ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଆରବ ଉପଦ୍ୱୀପର ଦକ୍ଷିଣ ପ୍ରାନ୍ତରେ ଥିବା ବାବ୍-ଏଲ୍-ମାଣ୍ଡେବ୍ ଜଳପଥ ଲୋହିତ ସାଗର (Red Sea)କୁ ଆଡେନ୍ ଉପସାଗର ଓ ଆରବ ସାଗର ସହ ଯୋଡ଼ିଥାଏ। ବିଶ୍ୱର ପ୍ରାୟ ୧୨ ପ୍ରତିଶତ ବାଣିଜ୍ୟ ଏହି ଜଳପଥ ଦେଇ ହୋଇଥାଏ। ବିଶ୍ୱ କଣ୍ଟେନର ପରିବହନର ପ୍ରାୟ ୨୫ ପ୍ରତିଶତ ମଧ୍ୟ ଏହି ସଂକୀର୍ଣ୍ଣ ସମୁଦ୍ର ପଥ ଦେଇ ଅତିକ୍ରମ କରେ।

ଇରାନ ସହ ସଂଘର୍ଷ ସମୟରେ ହର୍ମୁଜ୍ ଜଳପଥରେ ନାକାବନ୍ଦୀ ହେବାରୁ ପାର୍ସିକ୍ ଉପସାଗରର ବାଣିଜ୍ୟ ପ୍ରଭାବିତ ହୋଇଥିଲା। ସେଥିପାଇଁ ସାଉଦି ଆରବ ସମେତ ଅନେକ ଦେଶ ବାବ୍-ଏଲ୍-ମାଣ୍ଡେବ୍ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଥିଲେ।

ହୁତି ବିଦ୍ରୋହୀମାନେ କହିଛନ୍ତି, ସେମାନେ କେବଳ ସାଉଦି ଆରବ ସଂପୃକ୍ତ କିମ୍ବା ସାଉଦି ବନ୍ଦରକୁ ଯାଉଥିବା ଜାହାଜକୁ ଅଟକାଇବେ। କିନ୍ତୁ ଗାଜା ଯୁଦ୍ଧ ସମୟରେ ମଧ୍ୟ ଏଭଳି ଦାବି କରିଥିଲେ, ପରେ ସଂଘର୍ଷ ସହ ସମ୍ପର୍କ ନଥିବା ଅନେକ ଜାହାଜ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ତେଣୁ ଏବେ ଅନ୍ତର୍ଜାତୀୟ ଶିପିଂ କମ୍ପାନୀମାନେ ଏହି ଜଳପଥ ବ୍ୟବହାରକୁ ଏଡ଼ାଇ ପାରନ୍ତି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଶିପିଂ କମ୍ପାନୀ ।

ବାବ୍-ଏଲ୍-ମାଣ୍ଡେବ୍ ନିକଟସ୍ଥ ୟେମେନ ଉପକୂଳର ସମ୍ପୂର୍ଣ୍ଣ ଅଞ୍ଚଳ ହୁତିଙ୍କ ନିୟନ୍ତ୍ରଣରେ ନଥିଲେ ମଧ୍ୟ, ସେମାନେ ପ୍ରାୟ ୧୦୦ କିଲୋମିଟର ଦୂରତା ମଧ୍ୟରେ ଅବସ୍ଥାନ କରୁଛନ୍ତି। ତେଣୁ ଡ୍ରୋନ୍, କ୍ଷେପଣାସ୍ତ୍ର କିମ୍ବା ଛୋଟ ଆକ୍ରମଣ ମାଧ୍ୟମରେ ଜାହାଜ ଚଳାଚଳ ବାଧାପ୍ରାପ୍ତ କରିପାରିବେ।

ହୁତି ଅଧିକାରୀଙ୍କ ସୂଚନା ଅନୁସାରେ, ଗତ କିଛି ମାସ ଧରି ସେମାନେ ଏହି ଜଳପଥରେ ନାକାବନ୍ଦୀ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଯୋଜନାରେ ସମୁଦ୍ର ମାଇନ୍ ପକାଇବା, ବିସ୍ଫୋରକ ଭର୍ତ୍ତି ଡଙ୍ଗା ବ୍ୟବହାର, ଡ୍ରୋନ୍ ଓ ହେଲିକପ୍ଟର ଜରିଆରେ ଜାହାଜ ଉପରେ ଚଢ଼ାଉ କରିବା ଭଳି କୌଶଳ ରହିଛି।

ହୁତିଙ୍କ କହିବା ଅନୁସାରେ, ପ୍ରଥମେ ଜାହାଜଗୁଡ଼ିକୁ ସତର୍କ କରାଯିବ। ଯଦି ସେମାନେ ଚେତାବନୀକୁ ଅବହେଳା କରିବେ, ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷଜ୍ଞଙ୍କ ମତରେ, ସମ୍ପୂର୍ଣ୍ଣ ଜଳପଥ ବନ୍ଦ ନ ହେଲେ ମଧ୍ୟ ଛିଟପୁଟ ଆକ୍ରମଣ ବୀମା ପ୍ରିମିୟମ୍ ଓ ପରିବହନ ବ୍ୟୟ ବଢ଼ାଇ ଜଳପଥକୁ ପ୍ରଭାବିତ କରିପାରିବ।

ସଂଘର୍ଷ ନିରୀକ୍ଷଣ ସଂସ୍ଥା ACLEDର ପ୍ରତିଷ୍ଠାତ୍ରୀ କ୍ଲିଓନା ରାଲେ କହିଛନ୍ତି, ଯଦି ହର୍ମୁଜ୍ ସହ ବାବ୍-ଏଲ୍-ମାଣ୍ଡେବ୍ ଉପରେ ମଧ୍ୟ ଚାପ ବଢ଼େ, ତେବେ ବିଶ୍ୱର ଦୁଇଟି ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ପଥ ଏକାସାଙ୍ଗରେ ପ୍ରଭାବିତ ହେବ। ଅନ୍ୟପକ୍ଷରେ, ଆଟଲାଣ୍ଟିକ୍ କାଉନ୍ସିଲ୍ର ବିଶେଷଜ୍ଞ ଏଲିସନ୍ ମାଇନରଙ୍କ ଅନୁସାରେ, ଜୁନ୍ ମାସରେ ପ୍ରତିଦିନ ୭୦ ଲକ୍ଷ ବ୍ୟାରେଲ୍‌ରୁ ଅଧିକ ପେଟ୍ରୋଲିୟମ୍ ବାବ୍-ଏଲ୍-ମାଣ୍ଡେବ୍ ଦେଇ ପରିବହନ ହୋଇଥିଲା, ଯାହା ଯୁଦ୍ଧ ପୂର୍ବରୁ ପ୍ରାୟ ୪୦ ଲକ୍ଷ ବ୍ୟାରେଲ୍ ଥିଲା।

ସାଉଦି ଆରବ ରେଡ୍ ସିର ୟାନବୁ (Yanbu) ବନ୍ଦରରୁ ପ୍ରତିଦିନ ପ୍ରାୟ ୪୦ ଲକ୍ଷ ବ୍ୟାରେଲ୍ ତେଲ ରପ୍ତାନି କରୁଛି। ଏହାଛଡ଼ା ଇଜିପ୍ଟର SUMED ପାଇପଲାଇନ୍ ଓ ସୁଏଜ୍ କେନାଲ୍ ମାଧ୍ୟମରେ ମଧ୍ୟ ବିକଳ୍ପ ବ୍ୟବସ୍ଥା ରହିଛି।

ଯଦି ବାବ୍-ଏଲ୍-ମାଣ୍ଡେବ୍ ଜଳପଥ ଅସୁରକ୍ଷିତ ହୋଇଯାଏ, ତେବେ ଶିପିଂ କମ୍ପାନୀମାନଙ୍କୁ ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଦୀର୍ଘ ରାସ୍ତାରେ ଯିବାକୁ ପଡ଼ିବ। ଏଥିରେ ଯାତ୍ରା ସମୟ ଏକରୁ ଦୁଇ ସପ୍ତାହ ବଢ଼ିବା ସହ ପରିବହନ ଖର୍ଚ୍ଚ ମଧ୍ୟ ଅନେକ ବଢ଼ିଯିବ। ଏହାର ସିଧା ପ୍ରଭାବ ବିଶ୍ୱ ତୈଳ ବଜାର, ସାମଗ୍ରୀ ମୂଲ୍ୟ ଏବଂ ଏସିଆ ସମେତ ଅନେକ ଦେଶର ଅର୍ଥନୀତି ଉପରେ ପଡ଼ିପାରେ।

Leave A Reply

Your email address will not be published.