ନୂଆଦିଲ୍ଲୀ/ଭୁବନେଶ୍ବର: ହାତରୁ ଗଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦ
ଏବେ କ’ଣ କରିବେ ଧର୍ମେନ୍ଦ୍ର?
ପୁଣି ଓଡିଶା ରାଜନୀତିକୁ ଫେରିବେ କି?
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛାତ୍ର ଆନ୍ଦୋଳନ ଓ ରାଜନୈତିକ ଚାପ ମଧ୍ୟରେ ସେ ସ୍ବଇଚ୍ଛାରେ ଇସ୍ତଫା ଦେଇଥିଲେ ମଧ୍ୟ, ଏହା ତାଙ୍କ ରାଜନୈତିକ ଜୀବନର ଶେଷ ନୁହେଁ, ବରଂ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ କ’ଣ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଧର୍ମେନ୍ଦ୍ର ପ୍ରଧାନ କେବଳ ଜଣେ ସାଧାରଣ କେନ୍ଦ୍ରମନ୍ତ୍ରୀ ନୁହଁନ୍ତି। ଗତ ଏକ ଦଶନ୍ଧି ଧରି ସେ ବିଜେପିର ଅନ୍ୟତମ ସଫଳ ସଂଗଠନକାରୀ ଭାବେ ପରିଚିତ। ଓଡିଶା, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ବିହାର ଓ ହରିୟାଣା ଭଳି ରାଜ୍ୟରେ ଦଳର ନିର୍ବାଚନୀ ରଣନୀତି ପରିଚାଳନା କରି ସେ ସଫଳତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଶ୍ୱସ୍ତ ନେତା ଭାବେ ମଧ୍ୟ ତାଙ୍କର ପରିଚୟ ରହିଛି।
୨୦୧୪ରୁ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ କାମ କରିଥିବା ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଶିକ୍ଷାମନ୍ତ୍ରୀ ଭାବେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରି ଦେଶର ଶିକ୍ଷା ବ୍ୟବସ୍ଥାରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ।
ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂଗଠନ ଦକ୍ଷତାକୁ ବଡ଼ କାରଣ ଭାବେ ଦେଖାଯାଏ। ବିଜେଡି ୨୪ ବର୍ଷ ଧରି ଶାସନ କରୁଥିବା ସମୟରେ ସେ ରାଜ୍ୟର କୋଣ ଅନୁକୋଣ ବୁଲି ସଂଗଠନକୁ ମଜବୁତ କରିଥିଲେ। ସ୍ଥାନୀୟ ନେତୃତ୍ୱକୁ ଦଳରେ ଆଗକୁ ଆଣିବା ସହ ତୃଣମୂଳ ସ୍ତରରେ ବିଜେପିର ସ୍ଥିତିକୁ ସୁଦୃଢ଼ କରିଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନ, ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୪ରେ ଓଡିଶା ରାଜ୍ୟରେ ବିଜେପି ସରକାର ଆସିବା ପଛରେ ଧର୍ମେନ୍ଦ୍ରଙ୍କ ସଂଗଠନ ଦକ୍ଷତା ବଡ଼ ଭୂମିକା ନେଇଥିବା କୁହାଯାଏ ।
ଗତ ଦଶ ବର୍ଷ ଧରି ସେ ଦିଲ୍ଲୀରେ ସକ୍ରିୟ ଥିଲେ ମଧ୍ୟ, ଓଡ଼ିଶାରେ ତାଙ୍କ ସାଙ୍ଗଠନିକ ଦକ୍ଷତା ଏବେ ବି ଅକ୍ଷୁଣ୍ଣ ରହିଛି । ତେଣୁ ତାଙ୍କ ଇସ୍ତଫା ଜାତୀୟ ପ୍ରଶାସନିକ ଭୂମିକାରୁ ରାଜ୍ୟ ରାଜନୀତିରେ ଅଧିକ ସକ୍ରିୟ ନେତା ଭାବେ ପ୍ରତ୍ୟାବର୍ତ୍ତନର ପଥ ପ୍ରଶସ୍ତ କରିଥିବା ଚର୍ଚ୍ଚା ହେଉଛି ।
ତେବେ ଭାରତୀୟ ରାଜନୀତିରେ ଅନେକ ନେତା କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ପରେ ରାଜ୍ୟ ରାଜନୀତିକୁ ଫେରି ସଫଳ ହୋଇଥିବାର ଉଦାହରଣ ରହିଛି। ସେହି ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ଓଡ଼ିଶା ଏକ ନୂଆ ରାଜନୈତିକ ଅଧ୍ୟାୟର କେନ୍ଦ୍ରବିନ୍ଦୁ ହୋଇପାରେ ।
ତଥାପି ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ଦଳୀୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ। ନିର୍ବାଚନ ପରିଚାଳନା, ସଂଗଠନ ବିସ୍ତାର ଓ କର୍ମୀ ସମନ୍ୱୟ କ୍ଷେତ୍ରରେ ତାଙ୍କ ଦୀର୍ଘ ଅଭିଜ୍ଞତାକୁ ଆଗାମୀ ଦିନରେ ଦଳ ବ୍ୟବହାର କରିପାରେ। ଆସନ୍ତା ସାଙ୍ଗଠନିକ ପୁନର୍ଗଠନ ଓ ନିର୍ବାଚନୀ ପ୍ରସ୍ତୁତିରେ ତାଙ୍କୁ ପୁଣି ଥରେ ନିର୍ବାଚନୀ ରଣନୀତିକାର ଭାବେ ବଡ଼ ଦାୟିତ୍ୱ ମିଳିପାରେ।