Latest Odisha News

BREAKING NEWS

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଆଘାତ ସମସ୍ୟା କବଳରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଆଘାତ ଜନିତ ସମସ୍ୟାରେ ପଡିଛି । ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଗାଲେ ଟେଷ୍ଟରୁ ପ୍ରାୟତଃ ବାଦ ପଡି ସାରିଛନ୍ତି । ଅଗଷ୍ଟ ୧୫ରୁ ଏହି ଟେଷ୍ଟ ଆରମ୍ଭ ହେବ । ଟିମ ଇଣ୍ଡିଆ ଆସନ୍ତା ମାସରୁ ଶ୍ରୀଲଙ୍କା ଗସ୍ତରେ ଯିବ ସେଠାରେ ୨ଟି ଟେଷ୍ଟ ଖେଳାଯିବ । ଅଗଷ୍ଟ ୧୫ରୁ ପ୍ରଥମ ଏବଂ ୨୩ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ରିପୋର୍ଟ ମୁତାବକ ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ମଧ୍ୟ ଏହି ସିରିଜରୁ ଓହରି ପାରନ୍ତି । ମଙ୍ଗଳବାର ଚୟନ କମିଟି ଭାରତୀୟ ଦଳର ଘୋଷଣା କରିପାରନ୍ତି । ତେବେ ଖେଳାଳିଙ୍କ ଫିଟନେସ ସେମାନଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ଏବେ ବି କେତେକ ଖେଳାଳିଙ୍କ ଫିଟନେସ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯଶପ୍ରୀତ ବୁମରାହଙ୍କ ଫିଟନେସ ଉପରେ ମଧ୍ୟ ନଜର ରଖାଯାଇଛି ।

ଲର୍ଡସରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଯଦି ସେ ଫିଟ ଘୋଷିତ ନ ହେବେ ତାହାହେଲେ ମହମ୍ମଦ ସିରାଜ, ଗୁରନୂର ବରାର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉପରେ ପେସ ବୋଲିଂ ଦାୟିତ୍ୱ ନ୍ୟସ୍ତ ରହିବ । ଆକାଶଦୀପ ଏବେ ରିଟର୍ଣ୍ଣ ଟୁ ପ୍ଲେ ପ୍ରକ୍ରିୟାରେ ଅଛନ୍ତି । ସୁନ୍ଦରଙ୍କ ବଦଳରେ କିଏ ଖେଳିବ ତାହା ସ୍ଥିର ହୋଇନି । ତେବେ ରିପୋର୍ଟ ଅନୁସାରେ ଅଫ ସ୍ପିନର ସାରାଂଶ ଜୈନ ଦୌଡରେ ଆଗରେ ରହିଛନ୍ତି । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ରବୀନ୍ଦ୍ର ଜାଡେଜା, ମାନବ ସୁଥାର ଓ କୂଲଦୀପ ଯାଦବଙ୍କ ବ୍ୟତୀତ ଆଉ ଜଣେ ସ୍ପିନରଙ୍କୁ ସୁଯୋଗ ଦିଆଯିବ ।

Leave A Reply

Your email address will not be published.