ନୂଆଦିଲ୍ଲୀ: ଆୟର୍ଲାଣ୍ଡ ଓ ଇଂଲଣ୍ଡ ନିକଟରୁ କ୍ରମାଗତ ୨ଟି ଟି୨୦ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଟିମ ଜିମ୍ବାୱେ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରିଛି । ଶ୍ରେୟାଶ ଆୟାର ନେତୃତ୍ୱାଧୀନ ଟିମ ଇଣ୍ଡିଆ ୩-୦ରେ ଜିମ୍ବାୱେକୁ ମାତ ଦେଇଛି । ଶ୍ରେୟାଶଙ୍କ ଏହା ପ୍ରଥମ ଟି୨୦ ସିରିଜ ବିଜୟ । ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୨ ରନ କରିଥିଲା । ବୈଭବ ସୂର୍ଯ୍ୟବଂଶୀ ଭାରତ ପକ୍ଷରୁ ୪୯ ବଲରେ ସର୍ବାଧିକ ୮୧ ରନ କରିଥିଲେ । ବ୍ରାଡ ଇଭାନ୍ସ ୨ଟି ୱିକେଟ ନେଇଥିଲେ ।
ଜବାବରେ ଜିମ୍ବାୱେ ୨୦ ଓଭରରେ ୭ ୱିକେଟ ହରାଥ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ର୍ୟାନ ବୁର୍ଲା ୫୪ ରନ କରି ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳକୁ ବିଜୟୀ କରାଇପାରି ନ ଥିଲା । ଭାରତ ପକ୍ଷରୁ ମୟଙ୍କ ଯାଦବ ୩ଟି ୱିକେଟ ନେଇଥିଲେ । ୟଶ ଠାକୁର ୨ଟି ଏବଂ ଅଶୋକ ଶର୍ମା ଓ ରବି ବିଶ୍ନୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ବୈଭବ ଉଭୟ ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।