Latest Odisha News

BREAKING NEWS

ITR Filing: ଜମା ବି କରନ୍ତୁନି ବିଳମ୍ବ…ITR ଦାଖଲର ଶେଷ ତାରିଖ ପାଖେଇ ଆସୁଛି, ଏପର୍ଯ୍ୟନ୍ତ ୪ କୋଟିରୁ ଅଧିକ ରିଟର୍ଣ୍ଣ ଦାଖଲ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ (ITR) ଦାଖଲର ଶେଷ ତାରିଖ ପାଖେଇ ଆସୁଥିବାବେଳେ କେନ୍ଦ୍ରୀୟ ଆୟକର ବିଭାଗ କରଦାତାଙ୍କୁ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନ କରି ଶୀଘ୍ର ITR ଦାଖଲ କରିବାକୁ ଅନୁରୋଧ କରିଛି। ବିଭାଗ ସୋମବାର ସୂଚନା ଦେଇଛି ଯେ, ଆର୍ଥିକ ବର୍ଷ ୨୦୨୫-୨୬ (ଆକଳନ ବର୍ଷ ୨୦୨୬-୨୭) ପାଇଁ ଏପର୍ଯ୍ୟନ୍ତ ୪ କୋଟିରୁ ଅଧିକ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ହୋଇସାରିଛି।

ଏହି ଆକଳନ ବର୍ଷ ପାଇଁ ITR-1 (ସହଜ) ଏବଂ ITR-2 ଦାଖଲର ଶେଷ ତାରିଖ ୩୧ ଜୁଲାଇ ୨୦୨୬ ଧାର୍ଯ୍ୟ କରାଯାଇଛି। ଆୟକର ବିଭାଗ କହିଛି, ଶେଷ ସମୟରେ ଅଧିକ ଲୋଡ୍‌ ଯୋଗୁ ୱେବସାଇଟ୍‌ରେ ବୈଷୟିକ ସମସ୍ୟା ଦେଖାଦେଇପାରେ। ସେଥିପାଇଁ କରଦାତାମାନେ ସମୟ ଥିବାବେଳେ ରିଟର୍ଣ୍ଣ ଦାଖଲ କରିଦେବା ଉଚିତ।

ଆୟକର ବିଭାଗ ଏହା ମଧ୍ୟ ଜଣାଇଛି ଯେ, ୧୦ ଜୁଲାଇ ସୁଦ୍ଧା ୧.୭ କୋଟି ITR ଦାଖଲ ହୋଇଥିଲା। କେବଳ ୧୦ ଜୁଲାଇ ଦିନ ହିଁ ୧୦ ଲକ୍ଷରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଥିଲା। ଏହା ପରେ ଦାଖଲ ପ୍ରକ୍ରିୟା ଦ୍ରୁତ ଗତିରେ ବଢ଼ି ଏବେ ସଂଖ୍ୟା ୪ କୋଟି ଅତିକ୍ରମ କରିଛି।

ITR-1 (ସହଜ) ସେହି କରଦାତାଙ୍କ ପାଇଁ, ଯାହାଙ୍କ ବାର୍ଷିକ ଆୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଆୟର ଉତ୍ସ ବେତନ, ଗୋଟିଏ ଘର ସମ୍ପତ୍ତି ଓ କୃଷିରୁ ବାର୍ଷିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ଥାଏ। ସେହିପରି ITR-2 ସେହି ବ୍ୟକ୍ତି ଓ ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ, ଯାହାଙ୍କର ବ୍ୟବସାୟ କିମ୍ବା ପେସାରୁ ଆୟ ନଥାଏ, କିନ୍ତୁ କ୍ୟାପିଟାଲ୍‌ ଗେନ୍‌ ଭଳି ଉତ୍ସରୁ ଆୟ ରହିଥାଏ।

ଏହି ମଧ୍ୟରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଭାଗର ଅଧିକାରୀମାନଙ୍କୁ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ନିୟମ ମଧ୍ୟରେ ରହି ନାଗରିକଙ୍କ ସମସ୍ୟାର ସମ୍ବେଦନଶୀଳ ଓ ସମୟବଦ୍ଧ ସମାଧାନ କରିବା ସହ ସେମାନଙ୍କୁ ଅନାବଶ୍ୟକ ଭାବେ ହଇରାଣ ନ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ୱାନ କରିଛନ୍ତି।

Leave A Reply

Your email address will not be published.