ନୂଆଦିଲ୍ଲୀ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜ୍ଞାନେଶ୍ୱରୀ ଯାଦବ ମହିଳା ୱେଟଲିଫ୍ଟିଂରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ୫୩ କିଗ୍ରା ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି । ଛତିଶଗଡର ଏହି ଆଥଲେଟ ପଦାର୍ପଣ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିବା ଗୌରବ ଅର୍ଜନ କରିଛନ୍ତି । ସେ ସ୍ନାଚରେ ୮୮ ଓ କ୍ଲିନ ଆଣ୍ଡ ଜର୍କରେ ୧୧୧ ସହ ମୋଟ ୧୯୯ କିଲୋର ଭାର ଉଠାଇଥିଲେ । ଝିଅକୁ ୱେଟଲିଫ୍ଟର କରିବା ପାଇଁ ଦୀପକ ଯାଦବଙ୍କୁ କଠିନ ସଂଘର୍ଷ କରିବାକୁ ପଡିଥିଲା । ସେ ନିଜେ ଜଣେ ୱେଟଲିଫ୍ଟର ଥିଲେ ।
ଜ୍ଞାନେଶ୍ୱରୀ ପ୍ରଥମରୁ ପାୱାର ଲିଫ୍ଟିଂ କରୁଥିଲେ । ଜାତୀୟ ସବ ଜୁନିୟରରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରେ ଦୀପକ ଝିଅଙ୍କୁ ଏକ ଭଲ ୱେଟଲିଫ୍ଟର କରିବା ପାଇଁ ଜିଦ ଧରିଥିଲେ । ଉପଯୁକ୍ତ ପ୍ରଶିକ୍ଷଣ ପରେ ସେ ଏବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଛନ୍ତି । ସେ ୨୦୨୨ରେ ଜୁନିୟର ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ, ୨୦୨୩ ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂରେ ଜୁନିୟର ଏବଂ ସିନିୟର ବିଭାଗରେ ସ୍ୱର୍ଣ୍ଣ, ୨୦୨୫ ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣ ଓ ୨୦୨୬ ଏସିଆନ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ ।