SpaceX rocket: ଚନ୍ଦ୍ରରେ ଧକ୍କା ହେଲା ସ୍ପେସଏକ୍ସ ରକେଟ୍ର ୪ ହଜାର କେଜି ଅଂଶ, ଜାଣନ୍ତୁ ପୃଥିବୀ ପାଇଁ କେତେ ବିପଦ?
ନୂଆଦିଲ୍ଲୀ: ମହାକାଶରେ ପ୍ରାୟ ଦେଢ଼ ବର୍ଷ ଧରି ଭାସୁଥିବା ସ୍ପେସଏକ୍ସର ଫାଲକନ-୯ ରକେଟ୍ର ଦ୍ୱିତୀୟ ପର୍ଯ୍ୟାୟ (Upper Stage) ବୁଧବାର ଚନ୍ଦ୍ର ପୃଷ୍ଠରେ ଧକ୍କା ଦେଇଛି। ଭାରତୀୟ ସମୟ ଦିନ ପ୍ରାୟ ୧୨ଟା ୦୫ ମିନିଟ୍ରେ ଏହି ଧକ୍କା ଘଟିଥିବା ସୂଚନା ମିଳିଛି। ପ୍ରାୟ ୪,୦୦୦ କିଲୋଗ୍ରାମ ଓଜନ ଏବଂ ସ୍କୁଲ ବସ୍ କିମ୍ବା ପାଞ୍ଚ ମହଲା କୋଠା ସମାନ ଆକାରର ଏହି ରକେଟ୍ ଅଂଶ ଚନ୍ଦ୍ରର ପଶ୍ଚିମ ଭାଗର ଆଇନଷ୍ଟାଇନ୍ କ୍ରେଟର ନିକଟରେ ଧକ୍କା ଦେଇଥିବା ଆକଳନ କରାଯାଇଛି।
ଏହି ରକେଟ୍ ଅଂଶଟି ଜାନୁଆରୀ ୨୦୨୫ରେ ସ୍ପେସଏକ୍ସର ଫାଲକନ-୯ ରକେଟ୍ ଜରିଆରେ ଆମେରିକାର ଫାୟାରଫ୍ଲାଇ ଏରୋସ୍ପେସ ଏବଂ ଜାପାନର ଲୁନାର ଲ୍ୟାଣ୍ଡର ମିଶନ୍କୁ ଚନ୍ଦ୍ର ଅଭିମୁଖେ ପଠାଯାଇଥିଲା। ମିଶନ୍ ଶେଷ ହେବା ପରେ ରକେଟ୍ର ଦ୍ୱିତୀୟ ପର୍ଯ୍ୟାୟ ପୃଥିବୀକୁ ଫେରିପାରିନଥିଲା ଏବଂ ମହାକାଶରେ ଅନିୟନ୍ତ୍ରିତ ଭାବେ ଭାସୁଥିଲା। ଶେଷରେ ଏହା ଚନ୍ଦ୍ର ସହ ଧକ୍କା ଖାଇଛି।
ବୈଜ୍ଞାନିକଙ୍କ ଅନୁସାରେ, ଏହି ଧକ୍କା ସମୟରେ ରକେଟ୍ଟି ପ୍ରାୟ ୮,୬୯୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚନ୍ଦ୍ର ଆଡ଼କୁ ଯାଉଥିଲା। ଏହି ଧକ୍କାରେ ଚନ୍ଦ୍ର ପୃଷ୍ଠରେ ପ୍ରାୟ ୧୭ ମିଟର ବ୍ୟାସର ଏକ ନୂଆ ଗର୍ତ୍ତ ସୃଷ୍ଟି ହେବା ସହ ୫୦ରୁ ୧୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଓ ପଥରର ବିଶାଳ ବିସ୍ଫୋରଣ ସୃଷ୍ଟି ହୋଇଥିବା ଆକଳନ କରାଯାଉଛି। ଚନ୍ଦ୍ରରେ ବାୟୁମଣ୍ଡଳ ନଥିବାରୁ ଏହି ଧକ୍କା ପୃଥିବୀ ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇଛି।
ତେବେ ଏହି ଘଟଣାରୁ ପୃଥିବୀ ପାଇଁ କୌଣସି ବିପଦ ନାହିଁ ବୋଲି ନାସା ସ୍ପଷ୍ଟ କରିଛି। ଖାଲି ଆଖିରେ ଏହାକୁ ଦେଖିବା ସମ୍ଭବ ନଥିଲେ ମଧ୍ୟ ଶକ୍ତିଶାଳୀ ଟେଲିସ୍କୋପ୍ ସାହାଯ୍ୟରେ ଧକ୍କାର ଆଲୋକ ଓ ଧୂଳିର ବବଲ୍ସକୁ ଦେଖାଯାଇପାରେ।
ନାସାର ଲୁନାର ରିକନେସାନ୍ସ ଅର୍ବିଟର, ଦକ୍ଷିଣ କୋରିଆର ଡାନୁରି ପ୍ରୋବ୍ ଏବଂ ଆମେରିକାର ବଡ଼ ବଡ଼ ପର୍ଯ୍ୟବେକ୍ଷଣ କେନ୍ଦ୍ର ଏହି ଧକ୍କା ସ୍ଥଳର ଅଧ୍ୟୟନ କରିବେ। ଧକ୍କା ପରେ କେତେ ପରିମାଣର ଧୂଳି ଉଡ଼ିଲା, କେତେ ଉଚ୍ଚକୁ ଗଲା ଏବଂ କିପରି ଚନ୍ଦ୍ର ପୃଷ୍ଠକୁ ଫେରିଲା, ତାହାର ବିଶ୍ଳେଷଣ କରି ବୈଜ୍ଞାନିକମାନେ ଚନ୍ଦ୍ରର ଭିତର ଗଠନ ଏବଂ ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ନୂଆ ତଥ୍ୟ ସଂଗ୍ରହ କରିବେ।
ଏହି ଘଟଣା ମହାକାଶରେ ବଢ଼ୁଥିବା ସ୍ପେସ୍ ଜଙ୍କ ସମସ୍ୟାକୁ ମଧ୍ୟ ପୁଣିଥରେ ସାମ୍ନାକୁ ଆଣିଛି। ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ଅନୁସାରେ, ବର୍ତ୍ତମାନ ମହାକାଶରେ ୧୦ ସେଣ୍ଟିମିଟରରୁ ବଡ଼ ପ୍ରାୟ ୫୪ ହଜାର ବସ୍ତୁ ଭାସୁଛି, ଯାହା ଆଗାମୀ ଦିନରେ ମହାକାଶ ଅଭିଯାନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।