Latest Odisha News

BREAKING NEWS

Handloom Day: ‘କିଣନ୍ତୁ, ପିନ୍ଧନ୍ତୁ, ଭିଡିଓ କରନ୍ତୁ…’, GRWM ଟ୍ରେଣ୍ଡରେ ଦେଶୀ ବୁଣାକାରଙ୍କୁ ଦୁନିଆକୁ ଦେଖାଇବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘Get Ready With Me’… ଅର୍ଥାତ୍ GRWM। ସୋସିଆଲ ମିଡିଆରେ ଯେଉଁ ଟ୍ରେଣ୍ଡରେ ଲୋକେ ନିଜକୁ ପ୍ରସ୍ତୁତ କରିବା ସମୟର ଭିଡିଓ ଶେୟାର କରନ୍ତି, ଏବେ ସେହି ଟ୍ରେଣ୍ଡରେ ଭାରତର ହ୍ୟାଣ୍ଡଲୁମ୍‌କୁ ଯୋଡ଼ିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ଅବସରରେ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା ଏବେ ଚର୍ଚ୍ଚାରେ ରହିଛି। କାନ୍ଧରେ ହ୍ୟାଣ୍ଡଲୁମ୍ ଗାମୁଛା, ସାମ୍ନାରେ ଭଳିକି ଭଳି ହାତବୁଣା କାରିଗରୀ…ଦେଶର ଯୁବପିଢ଼ି, ଇନଷ୍ଟାଗ୍ରାମ୍ ଓ ରିଲ୍ସର ଭାଷାରେ ହ୍ୟାଣ୍ଡଲୁମ୍‌ର କଥା କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ପୁଣି ଥରେ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ସେୟାର କରି, ଅପିଲ୍ କରିଛନ୍ତି ଯେ, ଯେପରି ଉତ୍ସାହର ସହ ଫ୍ରେଣ୍ଡସିପ୍ ଡେ ପାଳନ କରୁଛନ୍ତି, ସେହି ଉତ୍ସାହରେ ହ୍ୟାଣ୍ଡଲୁମ୍ ଡେ ମଧ୍ୟ ପାଳନ କରନ୍ତୁ।

ତେବେ ୧୯୦୫ ଅଗଷ୍ଟ ୭ରେ ସ୍ୱଦେଶୀ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ବ୍ରିଟିଶ୍ ସାମଗ୍ରୀକୁ ବର୍ଜନ କରି ଦେଶୀ ଉତ୍ପାଦ ବ୍ୟବହାର କରିବାର ଆହ୍ୱାନ ଭାରତୀୟଙ୍କ ମଧ୍ୟରେ ଏକ ନୂଆ ଚେତନା ସୃଷ୍ଟି କରିଥିଲା। ଏହାକୁ ନେଇ ଅଗଷ୍ଟ ୭ରେ ଦେଶ ପାଳନ କରୁଛି ଜାତୀୟ ହ୍ୟାଣ୍ଡଲୁମ୍ ଦିବସ। ଏହି ଦିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଓ ସୋସିଆଲ ମିଡିଆରେ ବିଶେଷ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। କିନ୍ତୁ ଏଥର ବାର୍ତ୍ତାର ଅନ୍ଦାଜ୍ ଟିକେ ଅଲଗା। ପାରମ୍ପରିକ ଭାଷଣ ନୁହେଁ, ବରଂ ଆଜିର ଡିଜିଟାଲ୍ ପିଢ଼ି ଯେଉଁ ଭାଷା ବୁଝେ, ସେହି ଭାଷାରେ ହ୍ୟାଣ୍ଡଲୁମ୍‌କୁ ପହଞ୍ଚାଇବାର ପ୍ରୟାସ। ମୋଦି କହିଛନ୍ତି, ଲୋକେ ନିଜ ପସନ୍ଦର ହ୍ୟାଣ୍ଡଲୁମ୍ ପୋଷାକ କିମ୍ବା ସାମଗ୍ରୀ ସହ GRWM ଭିଡିଓ ତିଆରି କରନ୍ତୁ। ଏହାକୁ ସୋସିଆଲ ମିଡିଆରେ ଶେୟାର କରନ୍ତୁ ଏବଂ #NationalHandloomDay ଭଳି ହ୍ୟାସଟ୍ୟାଗ୍ ବ୍ୟବହାର କରନ୍ତୁ। ଯାହାଦ୍ବାରା ଭାରତର ବିଭିନ୍ନ ଅଞ୍ଚଳର ହ୍ୟାଣ୍ଡଲୁମ୍‌ର ବିବିଧତାକୁ ସାରା ବିଶ୍ୱ ସାମ୍ନାକୁ ଅଣାଯାଇପାରିବ । ମୋଦି ନିଜ ବାର୍ତ୍ତାରେ ହ୍ୟାଣ୍ଡଲୁମ୍‌କୁ କେବଳ ଫ୍ୟାଶନ୍ କିମ୍ବା ପୋଷାକ ଭାବରେ ଦେଖିବାକୁ କହିନାହାନ୍ତି। ଏହା ପଛରେ ଥିବା ଲକ୍ଷ ଲକ୍ଷ ବୁଣାକାର ପରିବାରଙ୍କ ପରିଶ୍ରମକୁ ମଧ୍ୟ ମନେ ପକାଇଛନ୍ତି। ଘରେ ତନ୍ତ ଲଗାଇ, ନିଜ ହାତରେ ସୂତାକୁ ବୁଣି ଯେଉଁ ବୁଣାକାରମାନେ ଶାଢ଼ି, ଗାମୁଛା, ଡ୍ରେସ୍, ଚାଦର ଓ ଅନ୍ୟାନ୍ୟ ବସ୍ତ୍ର ପ୍ରସ୍ତୁତ କରନ୍ତି, ସେମାନଙ୍କ ଆର୍ଥିକ ସଶକ୍ତିକରଣ ସହ ହ୍ୟାଣ୍ଡଲୁମ୍ ଦିବସକୁ ଯୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ। ଅର୍ଥାତ୍, ଏଥର ହ୍ୟାଣ୍ଡଲୁମ୍ ଡେର ମେସେଜ୍ କେବଳ ‘ଦେଶୀ ପୋଷାକ ପିନ୍ଧନ୍ତୁ’ ନୁହେଁ, ବରଂ ଦେଶୀ ବୁଣାକାରଙ୍କ ହାତର କାମ କିଣନ୍ତୁ, ତାଙ୍କ କାହାଣୀକୁ ଦୁନିଆ ପାଖରେ ପହଞ୍ଚାନ୍ତୁ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ଯେ, ଅଗଷ୍ଟ ୭ରେ ପ୍ରତ୍ୟେକ ନାଗରିକ ଅତିକମରେ ଗୋଟିଏ ହ୍ୟାଣ୍ଡଲୁମ୍ ସାମଗ୍ରୀ କିଣନ୍ତୁ। ତା’ପରେ ସେହି ପୋଷାକ କିମ୍ବା ସାମଗ୍ରୀ ସହ ଗୋଟିଏ ଛୋଟ ଭିଡିଓ କରନ୍ତୁ। ଏହା GRWM ହୋଇପାରେ, ରିଲ୍ ହୋଇପାରେ କିମ୍ବା ହ୍ୟାଣ୍ଡଲୁମ୍‌ର କାହାଣୀ କହୁଥିବା ଏକ ଛୋଟ ଭିଡିଓ ହୋଇପାରେ। ଏହା ମାଧ୍ୟମରେ ଭାରତୀୟ ବୁଣାକାରଙ୍କ ଦକ୍ଷତା, ସୃଜନଶୀଳତା ଓ ପରିଶ୍ରମକୁ ବିଶ୍ୱ ଦରବାରରେ ପହଞ୍ଚାଇ  ହେବ ।

ଭାରତୀୟ ହ୍ୟାଣ୍ଡଲୁମ୍ କ୍ଷେତ୍ର କେବଳ ପରମ୍ପରାର ପ୍ରତୀକ ନୁହେଁ, ଏହା ଏକ ବଡ଼ ଜୀବିକାର ମାଧ୍ୟମ ମଧ୍ୟ। ବୟନ ମନ୍ତ୍ରାଳୟ ଅନୁସାରେ, ଦେଶର ହ୍ୟାଣ୍ଡଲୁମ ସହିତ ୩୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବିକା ଜଡିତ ହୋଇ ରହିଛି । ଏଥିରେ ମହିଳାଙ୍କ ଅଂଶଗ୍ରହଣ ୭୦ ପ୍ରତିଶତରୁ ଅଧିକ। ତେଣୁ ଗୋଟିଏ ହ୍ୟାଣ୍ଡଲୁମ୍ ଶାଢ଼ି କିମ୍ବା ବସ୍ତ୍ର କିଣିବା ମାନେ କେବଳ ଗୋଟିଏ ପୋଷାକ କିଣିବା ନୁହେଁ; ଏହା ସହ ଜଡ଼ିଥାଏ ଗୋଟିଏ ପରିବାରର ଆୟ, ଗୋଟିଏ ପିଢ଼ିର କୌଶଳ ଓ ଦେଶର ଏକ ପୁରୁଣା ପରମ୍ପରା।

ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ଅବସରରେ ଦିଲ୍ଲୀର ରାଷ୍ଟ୍ରପତି ଭବନ କଲ୍ଚରାଲ୍ ସେଣ୍ଟରରେ ୧୨ତମ ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମରେ ୨୦୨୫ ବର୍ଷ ପାଇଁ ମୋଟ ୨୨ଟି ପୁରସ୍କାର ପ୍ରଦାନ କରାଯିବ। ଏଥିରେ ୩ଟି ସନ୍ତ କବୀର ହ୍ୟାଣ୍ଡଲୁମ୍ ପୁରସ୍କାର ଓ ୧୯ଟି ଜାତୀୟ ହ୍ୟାଣ୍ଡଲୁମ୍ ପୁରସ୍କାର ରହିଛି। ଏହି ପୁରସ୍କାର ବୁଣାକାରଙ୍କ କାରିଗରୀ, ନୂଆ ପ୍ରୟୋଗ ଓ ଭାରତୀୟ ବୟନ ପରମ୍ପରାକୁ ବଞ୍ଚାଇ ରଖିବାରେ ସେମାନଙ୍କ ଅବଦାନକୁ ସମ୍ମାନିତ କରିବ।

ଏହି ଅବସରରେ ଭାରତର ବିଭିନ୍ନ ହ୍ୟାଣ୍ଡଲୁମ୍ ପରମ୍ପରାକୁ ନେଇ ୪ଟି ସ୍ମାରକ ଡାକ ଟିକେଟ୍ ମଧ୍ୟ ପ୍ରକାଶ କରାଯିବ। ଏହାସହ ‘ମାଟି, ମୂଳ, ସୂତା, ସବୁ ଭାରତର ଆଲ୍ ରଙ୍ଗରେ ରଙ୍ଗା ହସ୍ତତନ୍ତ ବସ୍ତ୍ର’ ଏବଂ ‘ହସ୍ତତନ୍ତ ପୁରସ୍କାର ପୁସ୍ତକ ୨୦୨୫’ (Handloom Awards Book 2025) ନାମରେ ଦୁଇଟି ପ୍ରକାଶନ ଉନ୍ମୋଚନ କରାଯିବ। କାର୍ଯ୍ୟକ୍ରମ ସ୍ଥଳରେ ପୁରସ୍କାରପ୍ରାପ୍ତ ହ୍ୟାଣ୍ଡଲୁମ୍ ସାମଗ୍ରୀର ପ୍ରଦର୍ଶନୀ ମଧ୍ୟ ହେବ। ଲୋକେ ପାରମ୍ପରିକ କାନି ବୁଣାକାମ ଓ ୱାଲ୍ ହ୍ୟାଙ୍ଗିଂ ବୁଣାକାମର ଲାଇଭ୍ ଡେମୋ ଦେଖିପାରିବେ।

ଭାରତର ପ୍ରତ୍ୟେକ ଅଞ୍ଚଳର ହ୍ୟାଣ୍ଡଲୁମ୍‌ର ନିଜସ୍ୱ ପରିଚୟ ରହିଛି। ଗୁଜରାଟର ପଟୋଲା ଓ କଚ୍ଛ ବୁଣାକାମ ଆଜି ଆମେରିକା, ୟୁରୋପ୍, ଜାପାନ୍, ଅଷ୍ଟ୍ରେଲିଆ ଓ ମଧ୍ୟପ୍ରାଚ୍ୟରେ ମଧ୍ୟ ପରିଚିତି ହାସଲ କରିଛି। ଗୁଜରାଟରେ ହ୍ୟାଣ୍ଡଲୁମ୍ ଓ ହସ୍ତଶିଳ୍ପ କ୍ଷେତ୍ର ୧୨ ହଜାରରୁ ଅଧିକ ବୁଣାକାର ଓ କାରିଗରଙ୍କୁ ସମର୍ଥନ କରୁଥିବା ବେଳେ ବ୍ୟବସାୟ ୫୧.୦୭ କୋଟି ଟଙ୍କାରୁ ଅଧିକ ହୋଇଥିବା ଗୁଜରାଟ ସରକାର କହିଛନ୍ତି।

ପ୍ରତିବର୍ଷ ଅଗଷ୍ଟ ୭ରେ ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ପାଳନ କରାଯାଏ। ୨୦୧୫ରେ ଏହି ଦିବସର ଶୁଭାରମ୍ଭ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ। ଏହାର ଉଦ୍ଦେଶ୍ୟ କେବଳ ହ୍ୟାଣ୍ଡଲୁମ୍ ପରମ୍ପରାକୁ ମନେ ପକାଇବା ନୁହେଁ। ବରଂ ବୁଣାକାରଙ୍କ କୌଶଳକୁ ସମ୍ମାନ, ହ୍ୟାଣ୍ଡଲୁମ୍‌ର ବଜାର ବଢ଼ାଇବା ଏବଂ ଏହି କ୍ଷେତ୍ରକୁ ଆହୁରି ଚିରସ୍ଥାୟୀ କରିବା ମଧ୍ୟ ଏହାର ଲକ୍ଷ୍ୟ।

Leave A Reply

Your email address will not be published.