Latest Odisha News

BREAKING NEWS

ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଶନିବାର ଅପରାହ୍ନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ସତର୍କ ସୂଚନା ଜାରି କରିଛି।

ସୂଚନା ଅନୁଯାୟୀ, ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି।

୧୪ ଅଗଷ୍ଟ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପ୍ରଥମେ ୧୨ ଅଗଷ୍ଟ ପାଖାପାଖି ଉତ୍ତର ବଙ୍ଗୋପସାଗର ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ପାଗ ବଦଳିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି ।

ଅପରପକ୍ଷରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ମୌସୁମୀ ଟ୍ରଫ୍ ସହ ସମାନ୍ତରାଳ ଭାବେ ଗାଙ୍ଗେୟ ପଶ୍ଚିମବଙ୍ଗ, ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ସମ୍ଭାବ୍ୟ ଲଘୁଚାପ ନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ। ସିଷ୍ଟମ୍ ଗଠନର ସମୟ ନିକଟତର ହେଲେ ବିଭାଗର ପରବର୍ତ୍ତୀ ପୂର୍ବାନୁମାନରେ ଏନେଇ ଅଧିକ ସ୍ପଷ୍ଟତା ଆସିବ।

ତେବେ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ଯୋଜନା କରିବାକୁ ଲୋକଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.