ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୁଇ ବର୍ଷ ବିତିସାରିଥିବା ବେଳେ ଅଗଷ୍ଟ ୨୦୨୬ ସୁଦ୍ଧା ଭାରତୀୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍ଡିଏ ୨୯୩ଟି ଆସନ ସହ ଲଗାତାର ତୃତୀୟ ଥର ସରକାର ଗଠନ କରିଥିଲା। ସେହିପରି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ମଧ୍ୟ ୨୩୪ ଆସନ ଜିତି କଡ଼ା ଟକ୍କର ଦେଇଥିଲା । ମାତ୍ର ଏହି ଦୁଇ ବର୍ଷ ମଧ୍ୟରେ ରାଜନୈତିକ ଗଣିତ ସମ୍ପୂର୍ଣ୍ଣ ବଦଳିଯାଇଛି । ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ଏନ୍ଡିଏ ସପକ୍ଷରେ ଅତିରିକ୍ତ ୩୬ ଜଣ ସାଂସଦ ବୃଦ୍ଧି ପାଇଛନ୍ତି ।
ଏନ୍ଡିଏ ନିଜର ସଂଖ୍ୟା ବଢ଼ାଇବାରେ ସଫଳ ହୋଇଥିବା ବେଳେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ନିଜର ପ୍ରମୁଖ ସହଯୋଗୀ ଦଳଗୁଡ଼ିକ ଯଥା- ଡିଏମ୍କେ, ଟିଏମ୍ସି ଏବଂ ଶିବସେନା ଆଡ଼ୁ ବଡ଼ ଧରଣର ଝଟକା ଲାଗିଛି ।
ତାମିଲନାଡୁର କ୍ଷମତାସୀନ ଦଳ ଡିଏମ୍କେ ‘ଇଣ୍ଡିଆ’ ମେଣ୍ଟରୁ ଓହରିଯିବା ବିରୋଧୀଙ୍କ ପାଇଁ ଏକ ବଡ଼ କ୍ଷତି । ୨୦୨୪ ଲୋକସଭା ନିର୍ବାଚନରେ ଡିଏମ୍କେ ୨୨ଟି ଆସନ ଅକ୍ତିଆର କରିଥିଲା। ତେବେ ଜୁନ୍ ୨୦୨୬ରେ ଅନୁଷ୍ଠିତ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସହିତ ଆସନ ବୁଝାମଣା ଏବଂ ଅନ୍ୟାନ୍ୟ ରଣନୈତିକ ମତଭେଦ କାରଣରୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ଦଳ ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା। ଏହାଦ୍ୱାରା ‘ଇଣ୍ଡିଆ’ ମେଣ୍ଟରୁ ୨୨ ଜଣ ସାଂସଦ ସିଧାସଳଖ ହ୍ରାସ ପାଇଛନ୍ତି । ଡିଏମ୍କେ ପକ୍ଷରୁ ସଂସଦରେ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରାଯାଇଛି।
ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ବିରୋଧୀ ମେଣ୍ଟକୁ ଶକ୍ତ ଧକ୍କା ଲାଗିଛି। ଗତ ଜୁନ୍ ୨୨ ତାରିଖରେ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଥିଲା। ଦଳର ୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ସାମିଲ ହୋଇଥିଲେ। ଏହାଫଳରେ ସିନ୍ଦେ ଗୋଷ୍ଠୀର ସାଂସଦ ସଂଖ୍ୟା ୭ରୁ ୧୩କୁ ବୃଦ୍ଧି ପାଇଛି, ଯାହାକି ଏନ୍ଡିଏର ସ୍ଥିତିକୁ ଆହୁରି ମଜବୁତ କରିଛି ।
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ଏକ ଆଶ୍ଚର୍ଯ୍ୟଜନକ ବିଦ୍ରୋହ ଦେଖାଦେଇଛି। ଜୁନ୍ ୮ ତାରିଖରେ ଦଳର ୨୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ ଜଣ ସାଂସଦ କେନ୍ଦ୍ରର ଏନ୍ଡିଏ ସରକାରକୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି। ଟିଏମ୍ସି ନେତ୍ରୀ ତଥା ସାଂସଦ କାକୋଲି ଘୋଷ ଦସ୍ତିଦାର ପ୍ରକାଶ କରିଛନ୍ତି ଯେ ସମସ୍ତ ବିଦ୍ରୋହୀ ସାଂସଦଙ୍କ ସ୍ୱାକ୍ଷର ଥିବା ପତ୍ର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ପଠାଯାଇଛି । ଏହି ବିଦ୍ରୋହୀ ସାଂସଦମାନେ ଏବେ ପଶ୍ଚିମବଙ୍ଗର ଏକ ପଞ୍ଜିକୃତ ଦଳ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ ରେ ମିଶିଯାଇଛନ୍ତି।
