Latest Odisha News

BREAKING NEWS

CM Vijay apologises: କାହିଁକି ଭୁଲ୍ ମାଗିଲେ ସିଏମ୍ ଥାଲାପତି?

ଚେନ୍ନାଇ: ବଡ ଭୁଲ୍ କରିଦେଲେ ମନ୍ତ୍ରୀ!

ବିରୋଧିଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ତାମିଲନାଡୁ ବିଧାନସଭାରେ ଏକ ଛୋଟ ଶବ୍ଦକୁ ନେଇ ବଡ଼ ବିବାଦ ଦେଖାଦେଇଥିଲା। ବନ ମନ୍ତ୍ରୀ ଆରଭି ରଞ୍ଜିତ କୁମାର ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେର ବରିଷ୍ଠ ନେତା ଏମ୍. କରୁଣାନିଧିଙ୍କ ନାମ ଉଲ୍ଲେଖ କରିବା ପରେ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା। ପରିସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ଶେଷରେ ମୁଖ୍ୟମନ୍ତ୍ରୀ ବିଜୟ ନିଜେ ବିରୋଧୀଙ୍କୁ କ୍ଷମା ମାଗିଥିଲେ।

ଘଟଣାଟି ଘଟିଥିଲା ବିଧାନସଭାରେ ସ୍ୱାସ୍ଥ୍ୟ ଓ ରାଜସ୍ୱ ବିଭାଗର ଗ୍ରାଣ୍ଟ୍ସ ଡିମାଣ୍ଡ ଉପରେ ଆଲୋଚନା ସମୟରେ। ନିଜ ଭାଷଣରେ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବ ନିର୍ବାଚନରେ କଥିତ ଭାବେ ଟଙ୍କା ବାଣ୍ଟି ଭୋଟ କିଣାଯାଇଥିବା ପ୍ରସଙ୍ଗ ଉଠାଇଥିଲେ। ଏହି ସମୟରେ ସେ ଚର୍ଚ୍ଚିତ ‘ଥିରୁମଙ୍ଗଲମ୍ ଫର୍ମୁଲା’ର ମଧ୍ୟ ଉଲ୍ଲେଖ କରିଥିଲେ। ମନ୍ତ୍ରୀଙ୍କ ଦାବି ଅନୁସାରେ, ପୂର୍ବ ନିର୍ବାଚନ ସମୟରେ ତାଙ୍କ କାଞ୍ଚିପୁରମ୍ ବିଧାନସଭା କ୍ଷେତ୍ରରେ ଗୋଟିଏ ଭୋଟ୍ ପାଇଁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ବଣ୍ଟାଯାଇଥିବା କଥା ସାମ୍ନାକୁ ଆସିଥିଲା। ବର୍ତ୍ତମାନର ସରକାର ଭୋଟ କିଣିବା ବିନା କ୍ଷମତାକୁ ଆସିଛି ବୋଲି କହିବା ସମୟରେ ସେ ପୂର୍ବର ନିର୍ବାଚନୀ ରାଜନୀତିର ଉଦାହରଣ ଦେଇଥିଲେ। ଏହି ପ୍ରସଙ୍ଗରେ ସେ ଦିବଙ୍ଗତ ନେତା ଏମ୍. କରୁଣାନିଧିଙ୍କ ନାମ ଉଲ୍ଲେଖ କରିଥିଲେ। କିନ୍ତୁ ତାଙ୍କୁ କୌଣସି ସମ୍ମାନଜନକ ସମ୍ବୋଧନ କିମ୍ବା ପଦବୀ ସହ ଉଲ୍ଲେଖ ନକରି କେବଳ ‘କରୁଣାନିଧି’ ବୋଲି ସମ୍ବୋଧନ କରିଥିଲେ । ଯାହାକୁ ନେଇ ଡିଏମକେ ବିଧାୟକମାନେ ଆପତ୍ତି ଉଠାଇଥିଲେ।

ଡିଏମକେ ପକ୍ଷରୁ କୁହାଯାଇଥିଲା ଯେ ବିଧାନସଭାରେ ବରିଷ୍ଠ ଓ ଦିବଙ୍ଗତ ନେତାମାନଙ୍କ ନାମ ଉଲ୍ଲେଖ କରିବା ବେଳେ ସମ୍ମାନଜନକ ଶବ୍ଦ ବ୍ୟବହାର କରିବାର ପରମ୍ପରା ରହିଛି। କରୁଣାନିଧିଙ୍କୁ ସାଧାରଣତଃ ‘କଲୈଞ୍ଜର’ କିମ୍ବା ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ବୋଧନ କରାଯାଏ। ତେଣୁ ମନ୍ତ୍ରୀଙ୍କ ଉଲ୍ଲେଖକୁ ନେଇ ଡିଏମକେ ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଥିଲେ।

ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ହସ୍ତକ୍ଷେପ କରି ପରିସ୍ଥିତି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ତାଙ୍କୁ ଅଟକାଇ ବିଜୟ କହିଥିଲେ ଯେ, ଦିବଙ୍ଗତ ନେତାଙ୍କୁ ଏଭଳି ଭାବେ ସମ୍ବୋଧନ କରିବା ଉଚିତ ନୁହେଁ। ଏହାପରେ ସେ ନିଜେ ମନ୍ତ୍ରୀଙ୍କ ପକ୍ଷରୁ ବିରୋଧୀଙ୍କୁ କ୍ଷମା ମାଗିଥିଲେ। ବିଜୟ କହିଥିଲେ, “ତାଙ୍କ ପକ୍ଷରୁ ମୁଁ କ୍ଷମା ମାଗୁଛି।” ଏହାପରେ ବିଧାନସଭାରେ ସୃଷ୍ଟି ହୋଇଥିବା ଉତ୍ତେଜନା କିଛିଟା ଶାନ୍ତ ହୋଇଥିଲା।

ତେବେ ନିର୍ବାଚନରେ ଟଙ୍କା ବଣ୍ଟନ ଓ ‘ଥିରୁମଙ୍ଗଲମ୍ ଫର୍ମୁଲା’କୁ ନେଇ ମନ୍ତ୍ରୀଙ୍କ ମନ୍ତବ୍ୟ ସହ କରୁଣାନିଧିଙ୍କ ନାମ ଉଲ୍ଲେଖ ହେବା ତାମିଲନାଡୁ ବିଧାନସଭାରେ ରାଜନୈତିକ ତାତି ବଢ଼ାଇ ଦେଇଛି।

Leave A Reply

Your email address will not be published.