Nitin Nabin’s New Team: ୨୦୨୭ ପାଇଁ ଅଣ୍ଟା ଭିଡିଲାଣି ବିଜେପି; ନିତିନ ନବୀନଙ୍କ ନୂଆ ଟିମରେ ଅଭିଜ୍ଞ ନେତାଙ୍କ ସହ ଅନେକ ନୂଆ ମୁହଁ, ସ୍ମୃତି ଇରାନୀଙ୍କୁ ପଦୋନ୍ନତି
ନୂଆଦିଲ୍ଲୀ: ବିଜେପିର ଜାତୀୟ ସଂଗଠନରେ ହୋଇଛି ବଡ଼ ପରିବର୍ତ୍ତନ। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ସୋମବାର ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି। ଏହା ଦାୟିତ୍ୱ ନେବା ପରେ ନିତିନ ନବୀନଙ୍କ ପ୍ରଥମ ବଡ଼ ସାଂଗଠନିକ ପୁନର୍ଗଠନ। ନୂଆ ଟିମ୍ରେ ଅଭିଜ୍ଞ ନେତାଙ୍କ ସହ ଅନେକ ନୂଆ ମୁହଁଙ୍କୁ ମଧ୍ୟ ସ୍ଥାନ ମିଳିଛି। ନୂଆ ଜାତୀୟ ଟିମ୍ରେ ୧୩ ଜଣ ଜାତୀୟ ଉପାଧ୍ୟକ୍ଷ, ୮ ଜଣ ଜାତୀୟ ମହାସଚିବ ଓ ୧୬ ଜଣ ଜାତୀୟ ସଚିବଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଦଳର ବିଭିନ୍ନ ମୋର୍ଚ୍ଚା, ମିଡିଆ, ସୋସିଆଲ ମିଡିଆ ଓ ସଂଗଠନ ସମ୍ପର୍କିତ ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ ହୋଇଛି।
ଜାତୀୟ ଉପାଧ୍ୟକ୍ଷ ତାଲିକାରେ ବଡ଼ ନାମ ହେଉଛନ୍ତି ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ବରିଷ୍ଠ ନେତା ରାମ ମାଧବ। ଉଭୟଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଛି। ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଜାତୀୟ ଉପାଧ୍ୟକ୍ଷ ପଦରେ ବଜାୟ ରଖାଯାଇଛି। ଏହାସହ ଡି. ପୁରନ୍ଦେଶ୍ୱରୀ, ତୀରଥ ସିଂହ ରାୱତ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଷୀ, ଭାରତୀ ପ୍ରବୀଣ ପୱାର, ମନପ୍ରୀତ ସିଂହ ବାଦଲ, ଲାଲ ସିଂହ ଆର୍ଯ୍ୟ, ଏମ୍. ନାଗରାଜା, ତାରିକ ମନସୁର ଓ ମଧୁଚନ୍ଦ୍ର କରଙ୍କୁ ମଧ୍ୟ ଏହି ପଦ ମିଳିଛି।
ତେବେ ସାଂଗଠନିକ ପୁନର୍ଗଠନରେ କିଛି ପୁରୁଣା ମୁହଁ ବାଦ୍ ପଡ଼ିଛନ୍ତି। ସୌଦାନ ସିଂହ, ସରୋଜ ପାଣ୍ଡେ, ଡି.କେ. ଅରୁଣା, ଏମ୍. ଚୁବା ଆଓ, ଅବଦୁଲ୍ଲା କୁଟ୍ଟି, ଲକ୍ଷ୍ମୀକାନ୍ତ ବାଜପେୟୀ ଓ ଲତା ଉସେଣ୍ଡିଙ୍କୁ ଜାତୀୟ ଉପାଧ୍ୟକ୍ଷ ତାଲିକାରୁ ହଟାଯାଇଛି।
ନୂଆ ଟିମ୍ର ସବୁଠାରୁ ଚର୍ଚ୍ଚିତ ନିଯୁକ୍ତି ମଧ୍ୟରେ ରହିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାମ। ତାଙ୍କୁ ଜାତୀୟ ମହାସଚିବ କରାଯାଇଛି। ତାଙ୍କ ସହ ବିନୋଦ ତାବଡ଼େ, ସୁନୀଲ ବଂଶଲ, ବିପ୍ଲବ କୁମାର ଦେବ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଓ ସଞ୍ଜୟ ଭାଟିଆଙ୍କୁ ମଧ୍ୟ ଜାତୀୟ ମହାସଚିବ କରାଯାଇଛି। ବି.ଏଲ୍. ସନ୍ତୋଷ ଜାତୀୟ ମହାସଚିବ (ସଂଗଠନ) ପଦରେ ବଜାୟ ରହିଛନ୍ତି। ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ମହାସଚିବ (ସଂଗଠନ) ଦାୟିତ୍ୱ ଦିଆଯାଇଛି।
ଦଳର ନୂଆ ଟିମ୍ରେ ୧୬ ଜଣ ଜାତୀୟ ସଚିବ ମଧ୍ୟ ନିଯୁକ୍ତ ହୋଇଛନ୍ତି। କେ. କବିତା ପାଟିଦାର, କେ. ସୁରେନ୍ଦ୍ରନ, ଭୋଲା ସିଂହ, ପ୍ରଦୀପ ବର୍ମା, ଜଗଦୀଶ ଈଶ୍ୱରଭାଇ ପଟେଲ, ସନ୍ଦୀପ ପାଠକ, ଫାଙ୍ଗନନ କୋନ୍ୟାକ, ସଙ୍ଗୀତା ଯାଦବ, ଅନିଲ ଆଣ୍ଟୋନୀ, ଏମ୍. ଭେଙ୍କଟେଶନ, ମନୋଜ ତିଗ୍ଗା, ସିଦ୍ଧାର୍ଥ ଶମ୍ଭୁ, ସ୍ୱଦେଶ ସିଂହ, ମୃଗାଙ୍କା ଦେଓ ବର୍ମନ, ରୋହନ ଗୁପ୍ତା ଓ ଜୟ ପ୍ରକାଶ ଏହି ତାଲିକାରେ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ ଏବଂ ରାଜେଶ ମଙ୍ଗଲଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ କରାଯାଇଛି। ତରୁଣ ଚୁଘଙ୍କୁ କେନ୍ଦ୍ରୀୟ କାର୍ଯ୍ୟାଳୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।
ନୂଆ ଟିମ୍ରେ ବିଜେପିର ଡିଜିଟାଲ ଓ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ଅମିତ ମାଲବ୍ୟଙ୍କୁ ଆଇଟି ସେଲ୍ ମୁଖ୍ୟ ପଦରୁ ହଟାଯାଇ ଛତିଶଗଡ଼ର ଦୀପକ ମହାସ୍କେଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଅନିଲ ବାଲୁନି ମିଡିଆ ପ୍ରଭାରୀ ଭାବେ ବଜାୟ ରହିଛନ୍ତି। ସେହିପରି ଯୁବ, ମହିଳା, ଓବିସି, କୃଷକ, ଏସ୍ସି, ଏସ୍ଟି ଓ ସଂଖ୍ୟାଲଘୁ ମୋର୍ଚ୍ଚା ପାଇଁ ମଧ୍ୟ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ହେମାଙ୍ଗ ଯୋଶୀଙ୍କୁ ଯୁବ ମୋର୍ଚ୍ଚା, ରୂପ କୁମାରୀ ଚୌଧୁରୀଙ୍କୁ ମହିଳା ମୋର୍ଚ୍ଚା, ଅମରପାଲ ମୌର୍ଯ୍ୟଙ୍କୁ ଓବିସି ମୋର୍ଚ୍ଚା ଏବଂ ବଂଶୀଲାଲ ଗୁର୍ଜରଙ୍କୁ କୃଷକ ମୋର୍ଚ୍ଚାର ଦାୟିତ୍ୱ ମିଳିଛି।
ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣାର ସମୟ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ୨୦୨୭ରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଗୋଆ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ତେଣୁ ନୂଆ ଜାତୀୟ ଟିମ୍ର ଆଗରେ ଦଳର କେନ୍ଦ୍ରୀୟ ସଂଗଠନ ଓ ରାଜ୍ୟ ୟୁନିଟ୍ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ନିର୍ବାଚନୀ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ବଡ଼ ଦାୟିତ୍ୱ ରହିବ। ବିଜେପିର ଏହି ପୁନର୍ଗଠନ କେବଳ ନିୟମିତ ସାଂଗଠନିକ ପରିବର୍ତ୍ତନ ନୁହେଁ, ଆଗାମୀ ନିର୍ବାଚନୀ ଲଢ଼େଇ ପାଇଁ ଦଳର ରଣନୀତିର ଏକ ବଡ଼ ଅଂଶ ବୋଲି ଦେଖାଯାଉଛି। ନୂଆ ଟିମ୍ ଜରିଆରେ ଯୁବ ଓ ଅଭିଜ୍ଞ ନେତାଙ୍କୁ ଏକାଠି କରି ଦଳକୁ ଆହୁରି ସକ୍ରିୟ କରିବା ଉପରେ ନିତିନ ନବୀନ ଫୋକସ୍ ରହିଥିବା ସ୍ପଷ୍ଟ ହେଉଛି। ନୂଆ ଟିମ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ପଦାଧିକାରୀମାନେ ଦଳକୁ ମଜବୁତ କରିବା ସହ ଜନସେବା ଉପରେ ଫୋକସ୍ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
