Latest Odisha News

BREAKING NEWS

Jaish-e-Mohammed: ଆତଙ୍କୀ ଜଫରର ବଡ଼ ଖୁଲାସା, ପାକିସ୍ତାନରୁ ଭାରତ…ମସୁଦ ଅଜହର ସହ ମିଶି କରୁଥିଲା ଏହି ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଅଭିଯୁକ୍ତ ଆତଙ୍କୀ ମହମ୍ମଦ ଜଫରକୁ ଉତ୍ତରପ୍ରଦେଶର ମେରଠରୁ ଗିରଫ କରିବା ପରେ ତଦନ୍ତକାରୀ ସଂସ୍ଥା ହାତରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ଏଟିଏସ୍‌ର ପ୍ରାଥମିକ ପଚରାଉଚରାରେ ଜଣାପଡ଼ିଛି ଯେ ଜଫର ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ମଦ୍ରାସାକୁ କେନ୍ଦ୍ର କରି ନିଜ ନେଟୱର୍କ ଚଳାଉଥିବା ଅଭିଯୋଗ ରହିଛି। ଜଫର ବିରୋଧରେ ଆତଙ୍କବାଦୀ ଫଣ୍ଡିଂ ସହ ଜଡ଼ିତ ଗୁରୁତର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ସେ ପାକିସ୍ତାନର ଏକ ଫୋନ୍ ନମ୍ବରକୁ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଟଙ୍କା ପଠାଇଥିଲା। ମଦ୍ରାସା ନାମରେ ଚାନ୍ଦା ଆକାରରେ ସଂଗ୍ରହ ହୋଇଥିବା ଟଙ୍କାରୁ ଏହି ଅର୍ଥ କାରବାର ହୋଇଥିଲା କି ନାହିଁ, ଏଟିଏସ୍ ତାହାର ତଦନ୍ତ କରୁଛି।

ଏଟିଏସ୍‌କୁ ପଶ୍ଚିମ ଉତ୍ତରପ୍ରଦେଶରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ସକ୍ରିୟ ଥିବା ନେଇ ସୂଚନା ମିଳିଥିଲା। ସେ ମଦ୍ରାସା ନାମରେ ଚାନ୍ଦା ସଂଗ୍ରହ କରି ଏହାର କିଛି ଅଂଶ ପାକିସ୍ତାନକୁ ପଠାଉଥିବା ସନ୍ଦେହ କରାଯାଇଥିଲା। ଏହି ସୂଚନା ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତକାରୀଙ୍କ ଦାବି ଅନୁସାରେ, ଏହି ଟଙ୍କାର କିଛି ଅଂଶ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଲୋକଙ୍କ ପାଖକୁ ଯାଇଥିବାର ସୂଚନା ମିଳିଛି। ଏହି ଅର୍ଥ କାରବାର ମସୁଦ ଅଜହରଙ୍କ ନିର୍ଦ୍ଦେଶରେ ହେଉଥିଲା ବୋଲି ଏଟିଏସ୍ ତଦନ୍ତରୁ ଜଣାପଡ଼ିଥିବା ଦାବି କରିଛି।

ଏହା ସହ ଜଫର ମସୁଦ ଅଜହରର ବିବାଦୀୟ ଓ ଉତ୍ତେଜନାମୂଳକ ବୟାନକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇ ହିଂସାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ମଧ୍ୟ ରହିଛି।

ଏଟିଏସ୍‌ର ତଦନ୍ତ ଅନୁସାରେ, ବିହାରର ପୂର୍ଣ୍ଣିଆର ବାସିନ୍ଦା ମହମ୍ମଦ ଜଫର ପୂର୍ବରୁ ମେରଠରେ ରହି ଏକ ମଦ୍ରାସାରେ ଶିକ୍ଷା ଗ୍ରହଣ କରିଥିଲା। ପରେ ମେରଠରେ ତା’ର ଯାତାୟାତ ଜାରି ରହିଥିଲା। ଏଟିଏସ୍ ଜଫରର ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ କରିବା ପରେ ଅନେକ ତଥ୍ୟ ପାଇଥିବା ଦାବି କରିଛି। ତଦନ୍ତକାରୀଙ୍କ ଅନୁସାରେ, ସେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ଉତ୍ତେଜନାମୂଳକ ଓ ଜିହାଦୀ ବାର୍ତ୍ତା ସହ ଜଡ଼ିତ ଛବି ସେୟାର କରୁଥିଲା ଏବଂ ଲୋକଙ୍କୁ ଜିହାଦ ଆଡ଼କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା।

ଗତ କିଛି ସମୟ ଧରି ଜଫର ମେରଠ, ହାପୁଡ଼ ଓ ଅନ୍ୟ ସହରରେ ସ୍ଥାନ ବଦଳାଇ ରହୁଥିଲା ବୋଲି ଏଟିଏସ୍ ତଦନ୍ତରୁ ଜଣାପଡ଼ିଛି। ଏଟିଏସ୍ ଜଫରକୁ ସୋମବାର ଲକ୍ଷ୍ନୌର ସ୍ପେଶାଲ କୋର୍ଟରେ ହାଜର କରିଥିଲା। ଶୁଣାଣି ପରେ କୋର୍ଟ ତାକୁ ଜେଲ୍‌କୁ ପଠାଇ ଦେଇଛନ୍ତି। ଏବେ ତା’ର ଅର୍ଥ କାରବାର, ପାକିସ୍ତାନ ସହ ସମ୍ପର୍କ, ଜୈଶ-ଏ-ମହମ୍ମଦ ସହ ଯୋଗାଯୋଗ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ତା’ର ନେଟୱର୍କକୁ ନେଇ ତଦନ୍ତ ଆହୁରି ଜୋରଦାର କରାଯାଉଛି।

Leave A Reply

Your email address will not be published.