ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ତାଙ୍କ ପତ୍ନୀ ଭିନି ରମଣଙ୍କ ଘରକୁ ଆସିଛି ନୂଆ ଅତିଥି । ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏହି ଦମ୍ପତି । ଭିନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ମିଳିତ ପୋଷ୍ଟ ଶେୟାର କରି ମ୍ୟାକ୍ସୱେଲ୍ ଏବଂ ଭିନି ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେମାନେ ଝିଅର ନାମ ମାଇଆ ମ୍ୟାକ୍ସୱେଲ ରଖିଛନ୍ତି । ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଆମ ସ୍ବପ୍ନର ରାଜକନ୍ୟା ଆସିଯାଇଛି, ମାଇଆ ମ୍ୟାକ୍ସୱେଲ୍ ।
ମାଇଆ ସେମାନଙ୍କର ଦ୍ୱିତୀୟ ସନ୍ତାନ । ଏହାପୂର୍ବରୁ ୧୧ ସେପ୍ଟେମ୍ବର ୨୦୨୩ରେ ସେମାନଙ୍କର ପ୍ରଥମ ପୁତ୍ର ଲୋଗାନ୍ ମ୍ୟାଭେରିକ୍ ମ୍ୟାକ୍ସୱେଲ ଜନ୍ମଗ୍ରହଣ କରିଥିଲା । ମ୍ୟାକ୍ସୱେଲ୍ ଏବଂ ଭାରତୀୟ ବଂଶୋଦ୍ଭବ ଭିନି ରମଣ ମାର୍ଚ୍ଚ ୨୦୨୨ରେ ମେଲବୋର୍ଣ୍ଣରେ ପାରମ୍ପରିକ ଖ୍ରୀଷ୍ଟିୟାନ ଏବଂ ତାମିଲ ବ୍ରାହ୍ମଣ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଜଗତର ତାରକା, ବିଭିନ୍ନ ଫ୍ରାଞ୍ଚାଇଜି ଏବଂ ସମଗ୍ର ବିଶ୍ୱର ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟାଉଛନ୍ତି।
