କଟକ: ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅସାଧୁ ହୋଟେଲ ମାଲିକ ଓ ବ୍ୟବସାୟୀଙ୍କ ଉପରେ ଏବେ କଡ଼ା ନଜର ରଖିଛି କଟକ ମହାନଗର ନିଗମ (ସିଏମସି) । ମଙ୍ଗଳବାର ଦିନ ସିଏମସିର ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ସିଡିଏ ସେକ୍ଟର-୬ ଅଞ୍ଚଳରେ ଅଚାନକ ଚଢ଼ାଉ କରାଯାଇ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଦୁଇଟି ହୋଟେଲକୁ ସିଲ୍ କରାଯାଇଛି । ଫ୍ରିଜରେ ବାସି ଖାଦ୍ୟ ରଖି ଗ୍ରାହକଙ୍କୁ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ଏହି ତ୍ୱରିତ ପଦକ୍ଷେପ ନିଆଯାଇଛି।
ଯାଞ୍ଚ ସମୟରେ ବିଭାଗୀୟ ଅଧିକାରୀମାନେ ହୋଟେଲର ରୋଷେଇ ଘରର ଦୟନୀୟ ଓ ଅସ୍ୱାସ୍ଥ୍ୟକର ସ୍ଥିତି ଦେଖିବାକୁ ପାଇଥିଲେ। ସେଠାରେ ବ୍ୟବହାର ଅବଧି ପାର୍ ହୋଇସାରିଥିବା ଦହି ଏବଂ ବ୍ୟାପକ ମାତ୍ରାରେ ଅପମିଶ୍ରିତ ପନିର ଜବତ ହୋଇଥିଲା । ଅନେକ ବାସି ଖାଦ୍ୟରେ ଫଙ୍ଗସ୍ ଲାଗିଯାଇଥିବା ବେଳେ ଅସାଧୁ ବ୍ୟବସାୟୀମାନେ ତାହାକୁ ଗରମ କରି ପୁଣିଥରେ ନୂଆ ଖାଦ୍ୟ ଭାବେ ଗ୍ରାହକଙ୍କୁ ପରସୁଥିଲେ । ଏହାବ୍ୟତୀତ ଆମିଷ ଓ ନିରାମିଷ ଖାଦ୍ୟକୁ ଗୋଟିଏ ସ୍ଥାନରେ ଏବଂ ଅସୁରକ୍ଷିତ ଭାବେ ରଖାଯାଇଥିଲା। ସିଏମସି ଅଧିକାରୀମାନେ ଘଟଣାସ୍ଥଳରେ ହିଁ ପନିରର ଆୟୋଡିନ୍ ଟେଷ୍ଟ କରିଥିଲେ । ଲୁଣ ପକାଇବା କ୍ଷଣି ପନିରର ରଙ୍ଗ ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିଲା, ଯାହା ଅପମିଶ୍ରଣର ସ୍ପଷ୍ଟ ପ୍ରମାଣ ଦେଇଥିଲା।
ଅପରପକ୍ଷେ, ଜଣେ ହୋଟେଲ ମାଲିକ ନିଜ ଦୋଷ ଲୁଚାଇବାକୁ ଯାଇ ସଫେଇ ଦେଇଥିଲେ ଯେ ସେମାନେ ବାହାରୁ ପନିର କିଣିଥିଲେ ଏବଂ କର୍ମଚାରୀମାନେ ଦହିର ତାରିଖ ଯାଞ୍ଚ କରିବାକୁ ଭୁଲି ଯାଇଥିଲେ।
ସିଏମସିର ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ମହାରାଷ୍ଟ୍ରର ‘ତୁକାରାମ ମୁଣ୍ଢେ ଇଫେକ୍ଟ’ କୁ ମନେ ପକାଇ ଦେଇଛି।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) କମିଶନର ତଥା ଚର୍ଚ୍ଚିତ ଆଇଏଏସ୍ ଅଫିସର ତୁକାରାମ ମୁଣ୍ଢେ ନିକଟରେ ବଡ଼ ବଡ଼ ନାମୀଦାମୀ ହୋଟେଲ, କ୍ଲବ ଏବଂ ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀମାନଙ୍କ ଉପରେ ଚଢ଼ାଉ କରିଛନ୍ତି। ଖାଦ୍ୟରେ ଅପମିଶ୍ରଣ ଏବଂ ପରିମଳ ବ୍ୟବସ୍ଥାରେ ସାମାନ୍ୟ ଅବହେଳା ଦେଖିବା ମାତ୍ରେ ସେ ଜୋରିମାନା କରିବା ପରିବର୍ତ୍ତେ ସିଧାସଳଖ ଲାଇସେନ୍ସ ରଦ୍ଦ କରିବା ସହ ପ୍ରତିଷ୍ଠାନକୁ ସିଲ୍ କରୁଛନ୍ତି। ଠିକ୍ ସେହି ଢାଞ୍ଚାରେ ଏବେ ସିଏମସି ମଧ୍ୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଜିରୋ ଟଲରାନ୍ସ ନୀତି ଆପଣାଇଥିବା ଜଣାପଡିଛି।
ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକରେ ଉତ୍ତମ ପରିମଳ ଓ ଖାଦ୍ୟର ମାନ ବଜାୟ ରଖିବା ବାଧ୍ୟତାମୂଳକ। ଯେଉଁମାନେ ଖାଦ୍ୟ ସୁରକ୍ଷା ମାନଦଣ୍ଡ ସହ ସାଲିସ୍ କରିବେ, ସେମାନଙ୍କ ପ୍ରତିଷ୍ଠାନକୁ ତୁରନ୍ତ ସିଲ୍ କରାଯିବ। ଆଗାମୀ ଦିନରେ କଟକ ସହରର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ ଗୁଡ଼ିକର ରୋଷେଇ ଘର ଏବଂ ଷ୍ଟୋର ରୁମର ବ୍ୟାପକ ଯାଞ୍ଚ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

