Latest Odisha News

BREAKING NEWS

ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ, ବିପଦ ଘେରରେ ଜନଜୀବନ

ଭୁବନେଶ୍ୱର: ବର୍ଷାରେ ବେହାଲ ଉତ୍ତର ଓଡ଼ିଶା। ଚାଲିଆଡେ କେବଳ ପାଣି ଆଉ ପାଣି। ଜଳ ପ୍ରଳୟ କରୁଛି ଜଳକା। ଗତ ଦେଢ଼ ମାସ ମଧ୍ୟରେ ଓଡ଼ିଶାରେ ଷଷ୍ଠ ଲଘୁଚାପ ସୃଷ୍ଟି ହୋଇଛି। ଏକାକାର ହୋଇଛି ନଦୀନାଳ ରାସ୍ତାଘାଟ। ବୁଡ଼ିଯାଇଛି ଉତ୍ତର ଓଡ଼ିଶା। ଏକାଧିକ ବ୍ଲକ ଜଳବନ୍ଦୀ। ଭଦ୍ରକ ଓ ଯାଜପୁର ଜିଲ୍ଲାବାସୀଙ୍କ ଯନ୍ତ୍ରଣା ବଢ଼ାଇଛି ବୈତରଣୀ ନଦୀର ବନ୍ୟା। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଜାରି ରହିଛି।

ବସ୍ତା ମଥାନି ମୁଖ୍ୟ ରାସ୍ତା ଉପରେ ୧ରୁ ୨ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ୨୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭୟ ଏବଂ ଆଶଙ୍କା ଭିତରେ ଅଛନ୍ତି ହଜାର ହଜାର ଲୋକେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ନୀଳଗିରିର ତଳିଆ ଅଞ୍ଚଳର ସ୍ଥିତି ବେହାଲ୍‌ ହୋଇଛି। ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନଦୀ ଅବବାହିକାରେ ଥିବା ଗାଁ ଗୁଡ଼ିକ ଜଳାର୍ଣ୍ଣବ ହୋଇଛି।

ବାରମ୍ବାର ଲଘୁଚାପ ସୃଷ୍ଟି ଏବଂ ଏଗୁଡ଼ିକର ଅତି ଧୀର ଗତି ଯୋଗୁଁ ଓଡ଼ିଶାରେ ଦୀର୍ଘ ସମୟ ଧରି ବର୍ଷା ଜାରି ରହିଛି। କମ୍ ସମୟ ମଧ୍ୟରେ ଅଧିକ ପରିମାଣର ବର୍ଷା ବନ୍ୟା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ସମୁଦ୍ରର ଲୁଣିପାଣି ଚାଷ ଜମିକୁ ପ୍ରବେଶ କରିବାରୁ ଅଧିକାଂଶ ଚାଷୀଙ୍କର ନଷ୍ଟ ହୋଇଯାଇଛି ଫସଲ। ଧାନ ସହ ବିଭିନ୍ନ ଫସଲ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଆର୍ଥିକ ବୋଝ। ଧାର କରଜ କେମିତି ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ବନ୍ୟା ପାଣି ଭିତରେ ଅସୁସ୍ଥ ଲୋକଙ୍କ ପାଇଁ ଆହୁରି ବଢ଼ିଛି ସମସ୍ୟା। ଜରୁରୀ ଚିକିତ୍ସା ଆବଶ୍ୟକ ଥିବା ରୋଗୀଙ୍କୁ ବୋଟ୍ ଯୋଗେ ଗାଁରୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଉଛି।

ଅନ୍ୟପଟେ ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ହଜାରେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ସମସ୍ତ କ୍ଷତିଗ୍ରସ୍ତ ତଥା ଚାଷୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷତିର ଭରଣା କରିବାକୁ ସହାୟତା ମିଳିବ। ଗୋଧନ, ଡଙ୍ଗା, ଜାଲ, ଗୃହପାଳିତ ପ୍ରାଣୀ ସମ୍ପଦ କ୍ଷତି ପାଇଁ ସରକାର ସହାୟତା ଦେବେ। ଯାହା ବନ୍ୟା ପ୍ରଭାବିତ ଲୋକଙ୍କୁ ଆଶ୍ୱସ୍ତୀ ଦେଇଛି।

Leave A Reply

Your email address will not be published.