ଅନଲାଇନ୍ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନ; ଆମ ବସ୍ ଭଙ୍ଗାରୁଜା କଲେ,ପୋଲିସକୁ ଟେକା ପଥର ମାରିଲେ;ପୋଲିସ୍ ପକ୍ଷରୁ ଲାଠିଚାର୍ଜ
ଭୁବନେଶ୍ୱର:ରାଜଧାନୀ ରାଜରାସ୍ତାରେ ଅନଲାଇନ୍ ଗାଡ଼ି ଚାଳକ ଏବଂ ପୋଲିସ ଧସ୍ତାଧସ୍ତି । ୩ ଦିନ ହେଲା ଅନଲାଇନ୍ ଅଟୋ ଓ କ୍ୟାବ୍ ଡ୍ରାଇଭର୍ ଆନ୍ଦୋଳନ ଚଳାଇଛନ୍ତି । ଏସବୁ ଭିତରେ ବୁଧବାର ଦିନ ଆନ୍ଦୋଳନରତ ଗାଡ଼ି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଦେଇ ରାସ୍ତା ଜାମ୍ କରିଥିଲେ । ଏଥିସହ ଆନ୍ଦୋଳନକାରୀ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ ଓ ଆମ ବସ୍ ଭଙ୍ଗାରୁଜା କରିଥିଲେ । ଯାହାର ଜବାବରେ ଲାଠି ଚାଳନା କରିଥିଲା ପୋଲିସ ।
ସୂଚନାଥାଉକି, ଆନ୍ଦୋଳନକାରୀ କ୍ରୁଟ୍ର ଆମ ବସ୍ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ରାମ ମନ୍ଦିର-ବାଣୀ ବିହାର ରାସ୍ତାରେ ଏକାଧିକ ଆମ ବସ୍ ଅଟକି ରହିଛି ।
ଅନଲାଇନ୍ ଗାଡ଼ି ଚାଳକ ଆନ୍ଦୋଳନ ବେଳେ ସାଧାରଣ ପରିବହନ ପାଇଁ ଉଦ୍ଦିଷ୍ଟ ଆମ ବସ୍ ଭଙ୍ଗାରୁଜା କରିବା ଚକରୁ ପ୍ରେସର୍ ଖୋଲି ଦେଇଛନ୍ତି । ପୋଲିସ ବସକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖା ଯାଇଛି ।ଏପରିକି ଗଳି ରାସ୍ତାରେ ଲୁଚି ରହି ଆନ୍ଦୋଳନକାରୀ ଟେକା ପଥର ମାଡ଼ କରୁଥିବା ଦେଖିବାକୁ ମିଳିଛି । ସ୍ଥିତି ନିୟନ୍ତ୍ରଣ କରିବାକ ଯାଇ ପୋଲିସ ଲାଠି ମାଡ଼ କରିଛି ।
ଏହି ଘଟଣାକୁ ନେଇ ଡିସିପି ଜଗମୋହନ ମୀନା କହିଛନ୍ତି, ଆନ୍ଦୋଳନ ବେଳେ ହିଂସାତ୍ମକ କାଣ୍ଡ ଘଟାଇଥିବା ଡ୍ରାଇଭରଙ୍କ ଗାଡ଼ି ସିଜ୍ ହେବ। FIR କରି ସେମାନଙ୍କୁ ଗିରଫ କରାଯିବ। ଆନ୍ଦୋଳନ କରିବାକୁ କେବଳ ଦିନକ ପାଇଁ ଅନୁମତି ଥିଲା, ଆଜି ଜାଣିଶୁଣି ଅସୁବିଧା କରୁଛନ୍ତି। ଯେଉଁମାନେ ଭଙ୍ଗାରୁଜା କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଅଟକ ରଖାଯାଇଛି। ଥାନାରେ ଏତଲା କରି ଗିରଫ ସହ କୋର୍ଟ ଚାଲାଣ କରିବୁ ।
ସେପଟେ ରାଜଧାନୀ ରାଜରାସ୍ତାରେ ଏପରି ଅଭାବନୀୟ ପରିସ୍ଥିତି ଉପୁଜିଥିବାରୁ ଗମନାଗମନରେ ଅସୁବିଧା ହୋଇଛି । ଖାସ୍ କରି ରେଲୱେ ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇଛି । ଷ୍ଟେସନ୍ ଓ ଏୟାରପୋର୍ଟରୁ ଫେରୁଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

