ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ଏହି ଘଟଣାରେ ଏକ ଦାମୀ ଆଷ୍ଟନ୍ ମାର୍ଟିନ୍ କାର୍ ସମ୍ପୃକ୍ତ ଥିବା ବେଳେ, କାରଟିକୁ ଆନ୍ଧ୍ରପ୍ରଦେଶର ଜନସେନା ପାର୍ଟି ରାଜ୍ୟସଭା ସାଂସଦ ଲିଙ୍ଗାମାନେନି ରମେଶଙ୍କ ପୁଅ ଲିଙ୍ଗାମାନେନି ସଞ୍ଜୁଷ (୨୧) ଚଲାଉଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦ ପୋଲିସ ସଞ୍ଜୁଷଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତାଙ୍କୁ ଥାନାରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୬ ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ମାଧାପୁର ସ୍ଥିତ ଇନଅର୍ବିଟ୍ ମଲ୍ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଭାରତୀ ମୁଖୀ ଉକ୍ତ ମଲ୍ରେ ଥିବା ଲାଇଫ୍ଷ୍ଟାଇଲ୍ ଷ୍ଟୋରରେ ଜଣେ ସେଲ୍ସଗାର୍ଲ ଭାବେ କାମ କରୁଥିଲେ। ଦିନରେ ଭାରତୀ ତାଙ୍କ ସହକର୍ମୀ ପୂଜା ଅଶୋକଙ୍କ ସହ ଆଇଟିସି କୋହେନୁର ନିକଟରୁ ଖାଦ୍ୟ ଆଣି ମଲ୍କୁ ଫେରୁଥିଲେ । ଉଭୟ ରାସ୍ତା ପାର ହେଉଥିବା ବେଳେ ଏକ ଦ୍ରୁତଗାମୀ ଆଷ୍ଟନ୍ ମାର୍ଟିନ୍ କାର୍ ଭାରତୀଙ୍କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେହି କାର୍ରେ ହିଁ ଜୁବିଲୀ ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣାରେ ମାଧାପୁର ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୬(୧) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାଧାପୁର ଏସିପି ସିଏଚ୍. ଶ୍ରୀଧରଙ୍କ କହିବା ଅନୁଯାୟୀ, ଏହା ଏକ ଜାମିନଯୋଗ୍ୟ ଅପରାଧ ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଏହାର ପରିବର୍ତ୍ତେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୩୫(୩) ଅନୁଯାୟୀ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଦୁର୍ଘଟଣା ଦିନ ସଞ୍ଜୁଷଙ୍କୁ ଅଟକ ରଖାଯାଇ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତାଙ୍କର ଡ୍ରଙ୍କ୍ ଆଣ୍ଡ ଡ୍ରାଇଭ୍ ଏବଂ ଡ୍ରଗ୍ସ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିବା ପୋଲିସ ସ୍ପଷ୍ଟ କରିଛି। ସମ୍ପୃକ୍ତ କାର୍ଟି ହୋନର୍ ପ୍ରାଇମ୍ ହାଉସିଂ ନାମକ ଏକ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଛି ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ୱାଇଏସଆରସିପିର ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ, ସାଂସଦଙ୍କ ପୁଅ ହୋଇଥିବାରୁ ପୋଲିସ ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛି। ତେବେ ଅଭିଯୁକ୍ତ ସଞ୍ଜୁଷ ଏହି ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଏବଂ ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

