Latest Odisha News

BREAKING NEWS

ଏମଏମଡିଆର ବିଲ୍ ଉପରେ ସରଗରମ ରାଜନୀତି: ନବୀନଙ୍କୁ ସିଧାସଳଖ କାଉଣ୍ଟର କଲେ ମନମୋହନ ସାମଲ

ଭୁବନେଶ୍ୱର: ସଦ୍ୟ ଗୃହିତ ହୋଇଥିବା ଏମଏମଡିଆର ବା ଖଣି ଏବଂ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ବିଲକୁ ରାଜ୍ୟର ସ୍ୱାର୍ଥ ବିରୋଧୀ ଦର୍ଶାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦମାନଙ୍କୁ ଚିଠି ଲେଖିଥିବା ବେଳେ, ଏହାର କଡ଼ା ଜବାବ ରଖିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ।

ଶନିବାର ବିଜେପି ସାଂସଦମାନଙ୍କୁ ଲେଖିଥିବା ଚିଠିରେ ନବୀନ ନିବେଦନ କରିଥିଲେ ଯେ, ନିଜ ବିବେକର ସ୍ୱର ଶୁଣି ଓଡ଼ିଶାର ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହି ସଂଶୋଧିତ ଆଇନକୁ ପ୍ରତ୍ୟାହାର କରିବା ଦିଗରେ ସେମାନେ ପଦକ୍ଷେପ ନିଅନ୍ତୁ । ଅଗଷ୍ଟ ୧୩ ତାରିଖରେ ଲୋକସଭାରେ ମାତ୍ର ୧୦ ମିନିଟର ଆଲୋଚନା ପରେ ଗୃହିତ ହୋଇଥିବା ଏହି ବିଲ୍ ଦିନକୁ ସେ ଓଡ଼ିଶା ପାଇଁ ଏକ ‘କଳା ଦିବସ’ ବୋଲି ଆଖ୍ୟା ଦେଇଛନ୍ତି । ରାଜ୍ୟର ଖଣି, ଖଣିଜ ଦ୍ରବ୍ୟ ଏବଂ ଜମି ଉପରୁ ରାଜ୍ୟ ସରକାରଙ୍କ କ୍ଷମତା ତଥା ଟିକସ ଆଦାୟ ଅଧିକାର ଛଡ଼ାଇ ନିଆଯାଉଥିବାରୁ ଏହା ଓଡ଼ିଶାବାସୀଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ସେ ଦର୍ଶାଇଛନ୍ତି । ଯେଉଁ ଓଡ଼ିଶାବାସୀ ଖଣି ଯୋଗୁଁ ପ୍ରଦୂଷଣ ଓ ବିସ୍ଥାପନର ଶିକାର ହେଉଛନ୍ତି, ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସାଂସଦମାନେ ଠିଆ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଇତିହାସ କାହାକୁ କ୍ଷମା କରିବ ନାହିଁ ବୋଲି ଚେତାଇ ଦେବା ସହ ଏହି ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଅନୁରୋଧ କରିଥିଲେ ।

ଅନ୍ୟପକ୍ଷରେ ନବୀନଙ୍କ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ମନମୋହନ ସାମଲ ପଲଟା ଆକ୍ରମଣ କରିଛନ୍ତି । ସେ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ଏହି ନୂଆ ଆଇନ ଦ୍ୱାରା ରାଜ୍ୟର ୧୨ ହଜାର କୋଟି ଟଙ୍କାର କ୍ଷତି କିପରି ହେବ, ନବୀନ ବାବୁ ତାର ହିସାବ ଦିଅନ୍ତୁ । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶରେ ଜିଏସଟି ଲାଗୁ କରିବା ସମୟରେ ମଧ୍ୟ ନବୀନ ବାବୁ ଏହାକୁ ତୀବ୍ର ବିରୋଧ କରିଥିଲେ, କିନ୍ତୁ ଆଜି ଓଡ଼ିଶା ସେହି ଜିଏସଟି ମାଧ୍ୟମରେ ସର୍ବାଧିକ ଲାଭବାନ ହେଉଛି ।

ଠିକ୍ ସେହିପରି ଏହି ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ବିଲ୍ ସଂଶୋଧନ କେବଳ ଦେଶର ନୁହେଁ, ବରଂ ଓଡ଼ିଶାର ଅର୍ଥନୀତି ଓ ଆର୍ଥିକ ସ୍ଥିତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ପାଖରେ ବିପୁଳ ୨୦ଟି ଆସନ ରହିଥିବା ବେଳେ ରାଜ୍ୟସଭାରେ ଉଭୟ ବିଜେପି ଓ ବିଜେଡିର ୫ ଜଣ ଲେଖାଏଁ ସାଂସଦ ଅଛନ୍ତି । ନୂଆ ଖଣି ଆଇନକୁ ନେଇ ଏବେ ରାଜ୍ୟରେ ଏହି ରାଜନୈତିକ ବୟାନବାଜି ଆଗାମୀ ଦିନରେ ଆହୁରି ଜୋର୍ ଧରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.