Latest Odisha News

BREAKING NEWS

Russia helping Iran: ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍‌ କ୍ଷମତା?

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ଥିବାବେଳେ ସାମ୍ନାକୁ ଆସିଛି ଏକ ବଡ଼ ଦାବି। ରିପୋର୍ଟ ଅନୁସାରେ, ଇରାନକୁ ଅତ୍ୟନ୍ତ ସମ୍ବେଦନଶୀଳ ସାମରିକ ପ୍ରଯୁକ୍ତି ହାସଲ କରିବାରେ ରୁଷ ଗୁପ୍ତ ଭାବେ ସହଯୋଗ କରୁଛି। ‘ଫାଇନାନ୍ସିଆଲ୍ ଟାଇମ୍ସ’ର ଏକ ରିପୋର୍ଟ ଅନୁସାରେ, ଇରାନ ସହିତ ୨୦୨୩ରୁ ‘C430L’ ନାମକ ଏକ ଗୁପ୍ତ କାର୍ଯ୍ୟକ୍ରମ ଚାଲିଛି, ଯେଉଁଥିରେ ରୁଷର ଅଭିଜ୍ଞ ମିସାଇଲ୍ ବିଶେଷଜ୍ଞମାନେ ସାମିଲ ଥିବା ଦାବି କରାଯାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ରାମଜେଟ୍ ଇଞ୍ଜିନ୍ ପ୍ରଯୁକ୍ତି ବିକଶିତ କରିବା। ଏହା ଦ୍ୱାରା ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌ ଅତ୍ୟଧିକ ବେଗରେ ଏବଂ ଭୂପୃଷ୍ଠ ନିକଟରେ ଉଡ଼ିପାରିବ। ଫଳରେ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ମିସାଇଲ୍‌ ଚିହ୍ନଟ କରି ରୋକିବା ପାଇଁ ସମୟ କମ୍ ମିଳିପାରେ।

‘ଫାଇନାନ୍ସିଆଲ୍ ଟାଇମ୍ସ’ ଲିକ୍ ହୋଇଥିବା ରୁଷୀୟ କଥାବାର୍ତ୍ତା, ଯାତ୍ରା ରେକର୍ଡ ଓ ସାମରିକ ପେଟେଣ୍ଟ ବିଶ୍ଳେଷଣ ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଥିବା କୁହାଯାଇଛି। ଆମେରିକା ଓ ଇସ୍ରାଏଲ୍ ସହ ଇରାନର ସଂଘର୍ଷ ସମୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିଥିବା ଦାବି ରହିଛି।

ରିପୋର୍ଟ ଅନୁସାରେ, ଇରାନ ରାମଜେଟ୍ ପ୍ରପଲ୍‌ସନ୍ ସିଷ୍ଟମ୍ ବିକଶିତ କରି ଏହାର ଉଡ଼ାଣ ପରୀକ୍ଷା ମଧ୍ୟ କରିସାରିଛି। ଏହି ପ୍ରଯୁକ୍ତି ଆଣ୍ଟି-ସିପ୍ ଓ ଭୂମି ଆକ୍ରମଣକାରୀ କ୍ରୁଜ୍ ମିସାଇଲ୍‌ରେ ବ୍ୟବହାର ହୋଇପାରେ। ଯଦି ଇରାନ ଏହି କ୍ଷମତାକୁ ବିଶ୍ୱସନୀୟ ଭାବେ ବିକଶିତ କରିପାରେ, ତେବେ ଉପସାଗରୀୟ ଅଞ୍ଚଳରେ ମୁତୟନ ଆମେରିକୀୟ ନୌସେନା ଜାହାଜଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ବଢ଼ିପାରେ। ବିଶେଷକରି ଦ୍ରୁତଗତି ଓ କମ୍ ଉଚ୍ଚତାରେ ଉଡ଼ୁଥିବା ଆଣ୍ଟି-ସିପ୍ ମିସାଇଲ୍ ଏକ ନୂଆ ସୁରକ୍ଷା ଚିନ୍ତା ସୃଷ୍ଟି କରିପାରେ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୁଷର ସହାୟତାରେ ବିକଶିତ କୌଣସି ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌କୁ ଇରାନ ଏପର୍ଯ୍ୟନ୍ତ ମୁତୟନ କରିଥିବାର ପ୍ରମାଣ ମିଳିନାହିଁ। ଅନ୍ୟପଟେ ରୁଷ-ଇରାନ ସାମରିକ ସମ୍ପର୍କ ଗତ କିଛି ବର୍ଷରେ ଆହୁରି ମଜବୁତ ହୋଇଛି। ଇରାନ ରୁଷକୁ ‘ଶାହେଦ୍’ ଡ୍ରୋନ୍ ଯୋଗାଇଥିବା ଏବଂ ରୁଷରେ ଏହି ଡ୍ରୋନ୍ ଉତ୍ପାଦନ ବ୍ୟବସ୍ଥା ସ୍ଥାପନରେ ସହଯୋଗ କରିଥିବା ଅଭିଯୋଗ ରହିଛି। ଏବେ ମିସାଇଲ୍ ପ୍ରଯୁକ୍ତିକୁ ନେଇ ଆସିଥିବା ଏହି ରିପୋର୍ଟ ଆମେରିକା ପାଇଁ ନୂଆ ଚିନ୍ତାର କାରଣ ହୋଇଛି।

Leave A Reply

Your email address will not be published.